Odia News Portal

ରାତି ସାରା ଥାନାରେ ରହିଲେ ବିଜେପି ନେତା

ସମ୍ବଲପୁର: ଥାନାରେ କଟିଲା ରାତି । ରାତି ସାରା ଥାନାରେ ରହିଲେ ଏକାଧିକ ବିଜେପି ନେତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ । ଆରଡିସିଙ୍କୁ ଭେଟିବା ଦାବିରେ ଗୁରୁବାର ଦିନ ୩ଟାରୁ ସମ୍ବଲପୁର ଟାଉନ ଥାନାରେ ଏପର୍ଯ୍ୟନ୍ତ ବସି ରହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରୀ ନାଏକ । କେବଳ ସେତିକି ନୁହେଁ ଆରଡିସି ଅଫିସ ଘେରାଉ ବେଳେ ଗିରଫ ହୋଇଥିବା ସମସ୍ତ ନେତୃବୃନ୍ଦ ବି ଥାନା ପରିସରରେ ବସିଛନ୍ତି ।

ସୂଚନାନୁଯାୟୀ,ଗୁରୁବାର ସମ୍ବଲପୁର ଆରଡିସି ଅଫିସ ଘେରାଉ ସମୟରେ ଏମାନଙ୍କୁ ପୋଲିସ ଗିରଫ କରିବା ପରେ ଛାଡି ଦେଇଥିଲା । ହେଲେ ଥାନା ପରିସରରୁ ଆସିବାକୁ ସେମାନେ ନାରାଜ ।ସମ୍ବଲପୁରରେ ଧାନ କିଣାରେ ଅବ୍ୟବସ୍ଥା, ଚାଷୀ ସାମ୍ନା କରୁଥିବା ମଣ୍ଡି ସମସ୍ୟା, ଟୋକନ୍ ଅବ୍ୟବସ୍ଥା, ଧାନକିଣାରେ କଟ୍ନି ଛଟ୍ନି, ବଳକା ଧାନ ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ପ୍ରତିବାଦ ଜାରି ରହିଛି । ଅଇଁଠାପାଲି ପିଏଚଡି ପଡ଼ିଆରେ ସାଧାରଣ ସଭା ପରେ, ୫ ଦଫା ଦାବି ନେଇ ଆରଡିସି ଅଫିସ ଘେରାଉ କରିଥିଲେ ହଜାର ହଜାର ଚାଷୀ ଓ ବିଜେପି କର୍ମୀ । ଘେରାଉ ସମୟରେ ପୋଲିସ ୧୬ ଜଣ ବରିଷ୍ଠ ବିଜେପି ନେତାଙ୍କୁ ଗିରଫ କରିଥିଲା ।

ତେବେ ଗତକାଲି ସମ୍ବଲପୁରରେ ଆରଡିସି ଅଫିସ ଘେରାଉ ସହ ବିଶାଳ ଚାଷୀ ସମାବେଶ ପରେ ରାଜ୍ୟ ସରକାର ଏନେଇ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଧାନକିଣାରେ ଅନିୟମିତତା ଚାଲିଥିବାରୁ ସରକାର ସ୍ୱୀକାର କରିବା ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୫ଟି ପ୍ୟାକ୍ସର ସମ୍ପାଦକଙ୍କୁ ନିଲମ୍ବନ କରିଛନ୍ତି। ଏହାସହିତ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି।