Odia News Portal

ପ୍ରେମିକର ଘର ସାମନାରେ ଧାରଣା ଦେଲା ପ୍ରେମିକା

ବଲାଙ୍ଗୀର: ପ୍ରେମରେ ବାଧକ ସାଜିଛି ଜାତିପ୍ରଥା । ପ୍ରେମିକକୁ ବିଶ୍ୱାସ କରି ସବୁକିଛି ଦାନ କରି ଦେଇଥିଲା । ହେଲେ ଅନ୍ୟତ୍ର ବିବାହ କରିବାକୁ ଯାଉଛି ପ୍ରେମିକ । ଶେଷରେ ସବୁଆଡ଼ୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ନ୍ୟାୟ ପାଇଁ ପ୍ରେମିକର ଘର ସାମନାରେ ଧାରଣା ଦେଲେ ଯୁବତୀ । ମୋ ପ୍ରେମିକକୁ ଫେରାଇ ଦିଅ ନହେଲେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ଯୁବତୀ । ବଲାଙ୍ଗୀର ଜିଲ୍ଲା କଳାସର ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ପିଣ୍ଟୁ ଚନ୍ଦନ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ଜନୈକା ଯୁବତୀଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପ୍ରେମରେ ଜାତି ପ୍ରଥା ବାଧକ ସାଜିଥିଲା । ଶେଷରେ ପ୍ରେମିକ ପ୍ରେମିକା ଘର ଛାଡ଼ି ପଳାଇଥିଲେ । ପୁଅ ୪୦ ହଜାର ଟଙ୍କା ଆଣିଥିବା ବେଳେ ପ୍ରେମିକା ୭ହଜାର ଟଙ୍କା ଧରି ଘରୁ ପଳାଇ ଆସିଥିଲେ । ଉଭୟ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଅଞ୍ଚଳରେ ରହୁଥିଲେ । ତେବେ କିଛିଦିନ ଯିବା ପରେ ପ୍ରେମିକାକୁ ଛାଡ଼ି ଫେରାର ହୋଇଥିଲା ପ୍ରେମିକ ।

ପ୍ରେମିକର ବାଟ ଚାହିଁ ଚାହିଁ ଅନେକ ଦିନ ଅପେକ୍ଷା କରି ରହିଥିଲା ପ୍ରେମିକା । ଯେତେ ଫୋନ କରିଥିଲେ ସୁଦ୍ଧା କିଛି ଉତ୍ତର ମିଳିନଥିଲା । ଶେଷରେ ଯୁବତୀ ଜଣକ ତାଙ୍କ ବାପାଙ୍କୁ ଫୋନ କରିବା ପରେ ତାଙ୍କୁ ଉଦ୍ଧାର କରିଥିଲେ । ପ୍ରେମିକଙ୍କ ପରିବାର ଲୋକଙ୍କୁ ଯାଇ ଗୁହାରି କରିବା ପରେ ମଧ୍ୟ କେହି ଶୁଣିନଥିଲେ । ସେପଟେ ଏସପିଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ଏସମ୍ପର୍କରେ ଯୁବତୀଙ୍କ ବାପା ଜଣାଇଛନ୍ତି । କେହି ନଶୁଣିବାରୁ ଶେଷରେ ପ୍ରେମିକ ଦୁଆରେ ଆତ୍ମହତ୍ୟା କରିବା ଲାଗି ବସିଛି ପ୍ରେମିକା ।