Odia News Portal

ଦାବି ପୂରଣ ନ ହେଲେ ବସ୍ ସେବା ବନ୍ଦ

ନଭେମ୍ବର ୧୬ରୁ ରାଜ୍ୟରେ ବନ୍ଦ ହେବ ବସ୍ ସେବା । ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୪ ହଜାର ଘରୋଇ ବସ୍ ରହିଛି । କରୋନା କଟକଣା ହଟିବା ପରଠାରୁ ମାତ୍ର ୬୦ ପ୍ରତିଶତ ବସ୍‌ ଚାଲୁଛି । ସବୁ ବସ୍ କ୍ଷତିରେ ଚାଲୁଛି ବୋଲି ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଟିକସ ଛାଡ଼ ସହିତ ଏକ ଲକ୍ଷ ଟଙ୍କା ଲେଖାଏ ଋଣ ଦେବାକୁ ସରକାର କହିଥିଲେ । ଋଣ ଏପର୍ଯ୍ୟନ୍ତ ମିଳିଲା ନାହିଁ । କରୋନାରେ ବସ୍ ସେବା ବନ୍ଦ ଥିବାରୁ ମାଲିକମାନେ ପ୍ରବଳ କ୍ଷତି ସହିଛନ୍ତି । ଡିଜେଲ ଦର ବୃଦ୍ଧି ବସ୍ ଭଡ଼ା ବଢାଉଛି, ସାଧାରଣ ଲୋକଙ୍କୁ ବସ୍ ଭଡ଼ା ବାଧୁଛି । ଡିଜେଲ ଦର ସରକାର କମାନ୍ତୁ, ନଚେତ ବସ୍ ଚଳାଇବା ଅସମ୍ଭବ । ଏ ନେଇ ସରକାରଙ୍କୁ ରାଜ୍ୟ ମାଲିକ ସଂଘ ପକ୍ଷରୁ ଦାବିପତ୍ର ଦିଆଯିବ । ନଭେମ୍ବର ୧୫ ଭିତରେ ଦାବି ପୂରଣ ନହେଲେ ୧୬ ତାରିଖରୁ ବସ୍ ସେବା ବନ୍ଦ ହେବ ବୋଲି ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି ।