Odia News Portal

ମହିଳା ଓ ଶିଶୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା

5T ଅଧିନରେ ଆଉ ୫ ଅନଲାଇନ ସେବା

ଭୁବନେଶ୍ୱର: ୫-ଟି ଅନଲାଇନ ସେବା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଅଧିନରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ ସେବା ଲୋକାର୍ପିତ ହୋଇଛି । ମହିଳା ଓ ଶିଶୁମାନଙ୍କୁ ତ୍ବରିତ ଓ ଗୁଣାତ୍ମକ ସେବା ଯୋଗାଇବାରେ ଏହି ଉଦ୍ୟମ ସହାୟକ ହେବ । ସରକାରଙ୍କର ୫-ଟି ଉପକ୍ରମ ଜରିଆରେ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତାରେ ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଏହି ୫ ଟି ପୋର୍ଟାଲର ଲୋକାର୍ପଣ କରିଛନ୍ତି । ଏହି ସେବା ଗୁଡ଼ିକ ହେଲା କଳିକା, ମୋ ଛତୁଆ ଆପ୍‌, ମାନଦେୟ ପୋର୍ଟାଲ, ମମତା ଆପ୍‌, ମୋ ଶିଶୁ ପୋର୍ଟାଲ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଏବଂ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟକରିଆସୁଛି । ଏଥିପାଇଁ ପଞ୍ଚାୟତ ଅନୁଷ୍ଠାନ ମାନଙ୍କରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ରାଜ୍ୟ ସରକାରଙ୍କର ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତି କରଣ, ଶିଶୁମାନଙ୍କର ଯତ୍ନ ଏବଂ ପୁଷ୍ଟି କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛି । ସାରା ଦେଶରେ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ହିଁ ପୁଷ୍ଟି ବଜେଟ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମା ଓ ଶିଶୁମାନଙ୍କୁ ସବୁ ପ୍ରକାର ସେବା ଯୋଗାଇ ଦେବା ପାଇଁ ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କ୍ରେଚ୍‌, କର୍ମଜୀବୀ ମହିଳାମାନଙ୍କ ପାଇଁ ହଷ୍ଟେଲ, ଅନାଥଶ୍ରମ ଏବଂ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ମାନ କାର୍ଯ୍ୟ କରୁଛି । ରାଜ୍ୟ ସରକାରଙ୍କର ଏହିସବୁ କାର୍ଯ୍ୟକ୍ରମ ଯେପରି ଅଧିକ ଦକ୍ଷତାର ସହିତ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ରାଜ୍ୟ ସରକାର ବିଶେଷ ଯତ୍ନବାନ ଅଛନ୍ତି ଏବଂ ବୈଷୟିକ ଜ୍ଞାନକୌଶଳ ଏହି ଉପକ୍ରମକୁ ବିଶେଷ ସୁଗମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ଲୋକାର୍ପିତ ୫-ଟି ଅନ୍‌ଲାଇନ୍ ସେବା, ପରିବର୍ତ୍ତିତ ପରିସ୍ଥିତିରେ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସଫଳ ହେବବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏ ଅବସରରେ ଉଦ୍‌ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ କହିଥିଲେ ଯେ ରାଜ୍ୟ ସରକାର ମହିଳା ଓ ଶିଶୁ ବିଭାଗର କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର କୋଣଅନୁକୋଣରେ ପ୍ରତି ପରିବାର ପାଖରେ ପହଞ୍ଚି ପାରିଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।