Odia News Portal

ଚାଇନିଜ୍ ମାଞ୍ଜା ଓ କାଚ ଲଗା ସୂତା ବ୍ୟାନ୍

କଟକ: ଆସନ୍ତାକାଲି ମକର ସଂକ୍ରାନ୍ତି । ତେବେ ମକର ସଂକ୍ରାନ୍ତି ପୂର୍ବରୁ ଆକ୍ସନ ମୁଡ଼କୁ ଆସିଛି କଟକ ମ୍ୟୁନିସିପାଲ୍ କର୍ପୋରେସନ୍ | ମକର ସଂକ୍ରାନ୍ତିକୁ ଆଖିରେ ରଖି ସିଏମସି ବଡ଼ ନିଷ୍ପତ୍ତି ନେଇଛି। ଗୁଡ଼ି ଉଡ଼ାରେ ବ୍ୟବହୃତ ଚାଇନିଜ୍ ମାଞ୍ଜା ଉପରେ ବ୍ୟାନ୍ ଲଗାଇଛି ସିଏମସି । ଏହାଛଡ଼ା କାଚ ଲଗାଇ ପ୍ରସ୍ତୁତ ହେଉଥିବା ଅନ୍ୟ ସମସ୍ତ ପ୍ରକାରର ସୂତାକୁ ମଧ୍ୟ ସିଏମସି ବ୍ୟାନ୍ କରିଛି ।

ତେବେ ଗୁଡ଼ିରେ ଲାଗୁଥିବା ଚାଇନିଜ ମାଞ୍ଜା ସୂତା ପାଇଁ ଅନେକ ଦୁର୍ଘଟଣା ଘଟୁଥିବାରୁ ଏହାର ବିକ୍ରି ଉପରେ କଟକଣା ଲଗାଇଛନ୍ତି କଟକ ମହାନଗର ନିଗମ(ସିଏମସି)। ଏହାର ବିକ୍ରି ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିବା ସହ ସହରର ବିଭିନ୍ନ ଦୋକାନ ଯାଞ୍ଚ ପାଇଁ ୩ଟି ଟିମ ଗଠନ କରାଯାଇଛି । ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କୁହାଯାଇଛି ।

ସୂଚନାନୁଯାୟୀ, ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଉଥିବା ସମୟରେ ଅନେକ ଅଘଟଣ ଘଟିଥିବାର ଖବର ମିଳିଥାଏ। ଗୁଡ଼ି ଉଡ଼ାଇବା ସମୟରେ ଗୁଡ଼ିର ମାଞ୍ଜା ସୂତାରେ କଟି ପକ୍ଷୀ ଓ ଅନେକ ସମୟରେ ଲୋକଙ୍କ ଜୀବନ ଚାଲି ଯାଇଥାଏ । ତେବେ ଏଭଳି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସିଏମସି ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି । ଗୁଡ଼ି ଉଡ଼ାରେ ବ୍ୟବହୃତ ଚାଇନିଜ୍ ମାଞ୍ଜା ଓ କାଚ ଲଗା ସୂତାକୁ ବ୍ୟାନ୍ କରାଯାଇଛି। ଏ ନେଇ ସିଏମସି ଗାଇଡଲାଇନ୍ ଜାରି କରିଛି। ଯେଉଁ ସବୁ ଆଇଟମ୍ ବ୍ୟାନ୍ କରାଯାଇଛି, ତା’ର ବିକ୍ରିକୁ ରୋକିବା ପାଇଁ ସିଏମସି ତିନୋଟି ଟିମ୍ ଗଠନ କରିଛି। ପ୍ରଥମ ଟିମରେ ପଞ୍ଚାନନ ପାଲ୍ (ଟିମ୍ ଲିଡର୍), ପ୍ରଫୁଲ୍ଲ କୁମାର ମଙ୍ଗଳ, ସୁବାସ ଚନ୍ଦ୍ର ବାରିକ, ଏସକେ ଅଲମାସ୍ ରହିଥିବା ବେଳେ ୨ୟ ଟିମରେ ରଞ୍ଜିତ କୁମାର ସାହୁ (ଟିମ୍ ଲିଡର୍), ଧବଳୀ ରାଓ, ଟି. ବୁଜି ଓ ଅଶୋକ କୁମାର ବାରିକ ଏବଂ ତୃତୀୟ ଟିମରେ ବଂଶୀଧର ସାହୁ (ଟିମ୍ ଲିଡର୍), ନିରଞ୍ଜନ ବ୍ରହ୍ମ, ସୁରେନ୍ଦ୍ର ନାୟକ ଓ ଜ୍ୟୋତି ରଞ୍ଜନ ଦାସ ଆଦି ରହିଛନ୍ତି।