Odia News Portal

ମା’ ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ

ମା’ ତାରାତାରିଣୀ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବ୍ୟମନ୍ଦିରର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ପୁରୋଧା ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ତାରାତାରିଣୀ ପୀଠରେ ପହଞ୍ଚି ସେ ହାତ ଯୋଡି ମା’ଙ୍କୁ ପ୍ରଣାମ କଲେ । ମନ୍ଦିରରେ ପ୍ରବେଶ କରି ମା’ଙ୍କୁ ଦର୍ଶନ କଲେ । ନୂଆ ରୂପରେ ସଜେଇ ହୋଇଛି ମା’ ତାରାତାରିଣୀ ପୀଠ । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଦୀପ ଘର, ନୂଆ ସ୍ନାନ ମଣ୍ଡପ, ପ୍ରଶାସନିକ ଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ତାରାତାରିଣୀଙ୍କୁ ଦର୍ଶନ କରିବା ପରେ ସେ ଆୟୋଜିତ ସଭାରେ ମଧ୍ୟ ଯୋଗଦେଇଥିଲେ ।  ମୁଖ୍ୟମନ୍ତ୍ରୀଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କଲେ ସେବାୟତ । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପୀଠର ପ୍ରଧାନ ସେବାୟତ ।

ଧୁମଧାମରେ ଚାଲିଛି ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ । ମହାଯଜ୍ଞର ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ରତ୍ନଗିରି ପର୍ବତ । ଉତ୍ସବମୁଖର ହୋଇଛି ଗଞ୍ଜାମ ଜିଲ୍ଲା । ଅପୂର୍ବ ଶୋଭା ମଣ୍ଡନରେ ଆକର୍ଷିତ ହୋଇ ଟାଣି ହୋଇଆସୁଛନ୍ତି ହଜାର ହଜାର ଭକ୍ତ । ବିଶାଳ ଜନସମାବେଶ ହେବାର ସମ୍ଭାବନା ରହିଛି । ଏଥିପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ପୀଠ ପରିଦର୍ଶନ କରି ଆୟୋଜନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି  । ସେବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ମଧ୍ୟ ଉଭୟ ଆଲୋଚନା କରିଛନ୍ତି । ଅଧିକ ଗହଳି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ସ୍ବାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ପରିମଳକୁ ଗୁରୁତ୍ବ ଦିଆଯାଇଛି  । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯଜ୍ଞର କର୍ତ୍ତା ହେବା ସହ ସବୁ କାମ ତଦାରଖ କରୁଛନ୍ତି ।