Odia News Portal

ସଂରକ୍ଷଣ ନକଲେ ଇତିହାସ କ୍ଷମା ଦେବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ମନ୍ତବ୍ୟ | ନୀତି ଆୟୋଗର ଷଷ୍ଠ ବୈଠକରେ ଯୋଗଦେଇ କଡା ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଗଣତନ୍ତ୍ରରେ ନିର୍ବାଚନର ଆବଶ୍ୟକତା ରହିଛି । ହେଲେ ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର । ତେଣୁ ଦେଶରେ ନିର୍ବାଚନୀ ବାତାବରଣରୁ ବାହାରି ଲୋକଙ୍କ ପାଇଁ କାମ କରିବାର ବେଳ ଆସିଛି । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ ବାଧକ । ସେଥିପାଇଁ ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ ବୋଲି ନବୀନ କହିଛନ୍ତି |

ତେବେ ବୈଠକରେ ଜାତୀୟ ଦଳଗୁଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ନବୀନ । ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ସଂରକ୍ଷଣ ପାଇଁ ଜାତୀୟ ଦଳଗୁଡିକ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଅବହେଳା କଲେ ଇତିହାସ କ୍ଷମା କରିବ ନାହିଁ ବୋଲି ଅତି କଡା ଶବ୍ଦରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅବହେଳିତ କ୍ଷେତ୍ର ଏବଂ ସମ୍ବେଦନଶୀଳ ଲୋକଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସର୍ବଭାରତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ପଦ୍ଧତିରେ ପରିବର୍ତନ ଆଣିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।