Odia News Portal

ଖାଲି ହୋଇଯିବ କି କଂଗ୍ରେସ ଭାଡି ?

ଭୁବନେଶ୍ୱର : କଂଗ୍ରେସର ଏବେ ଭାଡି ଖାଲି ହୋଇଯିବା ଅବସ୍ଥା । ଜଣକ ପରେ ଜଣେ ପୂର୍ବତନ ବିଧାୟକ ଓ ସାଂସଦ ଯେଭଳି ଦଳ ଛାଡୁଛନ୍ତି ସେହି ଧାରା ଜାରି ରହିଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ମଙ୍ଗ ଧରିବାକୁ ହାତଗଣତି କେତେଜଣଙ୍କୁ ବାଦ୍‍ ଦେଲେ ଆଉ କେହି ମିଳିବେ ନାହିଁ । ତେବେ ସର୍ବଦା ଗୋଟ ଟଣାଟଣି ପାଇଁ ରେକର୍ଡ କରିଥିବା ଏହି ଦଳ ପତନ ବେଳେ ବି ଟିକେ ହେତୁ ନଥିବାରୁ ଦଳତ୍ୟାଗିଙ୍କ ଧାଡି ଲାଗି ଚାଲିଛି ।

୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ମଧ୍ୟ ଏଭଳି ଅବସ୍ଥା ହୋଇଥିଲା । ସେତେବେଳେ ଦଳର କାର୍ଯ୍ୟକାରୀ ସଭାପତି ଥିବା ନବ କିଶୋର ଦାସ ରାତାରାତି ବିଜେଡିକୁ ଡେଇଁଥିଲେ । ସିଏ ଏବେ ରାଜ୍ୟର ସ୍ୱସ୍ଥ୍ୟମନ୍ତ୍ରୀ । ଏକା ଥରକେ କ୍ୟାବିନେଟ ମୁଆଁ । ହେଲେ ତାଙ୍କର ଇଲାକାର ଆଉ ଜଣେ କଂଗ୍ରେସ ନେତା କିନ୍ତୁ ବିଜେଡିକୁ ଆସି ଉଧେଇ ପାରିଲେ ନାହିଁ । ନିର୍ବାଚନ ହାରିଗଲେ । ସେହିଭଳି ହେମାନନ୍ଦଙ୍କ ଝିଅ ମଧ୍ୟ କଂଗ୍ରେସରୁ ଆସି ଲୋକସଭା ନିର୍ବାଚନ ହାରିଗଲେ । ତଥାପି ଏମାନେ ବିଜେଡି ଛାଡି ନାହାନ୍ତି ।

ଏଥିର କିନ୍ତୁ କଥା ଆଉ ଟିକେ ନିଆରା । ଲାଗ ଲାଗ କୋରାପୁଟ ଜିଲ୍ଲାର ଦୁଇଜଣ ପୂର୍ବତନ କଂଗ୍ରେସ ବିଧାୟକ ଦଳ ଛାଡି ବିଜେଡିରେ ମିଶିଥିବାବେଳେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି କଂଗ୍ରେସ ଛାଡିଛନ୍ତି । ଯାହା ସୂଚନା ମିଳୁଛି ସିଏ ବି ବିଜେଡିରେ ସାମିଲ ହେବେ । ପ୍ରଦୀପ ଆଦିବାସୀ ଇଲାକାରେ ଂକଗ୍ରେସର ମଙ୍ଗ ଧରିଥିଲେ । ଅଳ୍ପ ଦିନ ମଧ୍ୟରେ ମାଲକାନଗିରି ଜିଲ୍ଲାର ଦୁଇ ଦୁଇ ଜଣ ଜିଲ୍ଲାପାଳଙ୍କୁ ତଡିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ସିଏ ନବରଙ୍ଗପୁର ଠାରୁ ରାଜଧାନୀ ପର୍ଯ୍ୟନ୍ତ ପ୍ରତି ପ୍ରସଙ୍ଗରେ କଂଗ୍ରେସକର୍ମୀଙ୍କୁ ଧରି ରାସ୍ତାକୁ ଆସୁଥିଲେ ।

କେବେଳ ଏହି ଆଗଧାଡିର ପୂର୍ବତନ ବିଧାୟକ କିମ୍ବା ସାଂସଦ ନୁହନ୍ତି ତଳ ସ୍ତରର କଂଗ୍ରେସ କର୍ମୀମାନେ ମଧ୍ୟ ପଞ୍ଚାୟତ ର୍ନିବାଚନ ପୂର୍ବରୁ ଦଳ ଛାଡିବାରେ ଲାଗିଛନ୍ତି । ଯଦିଓ ଏମାନଙ୍କ ସଂକ୍ରାନ୍ତରେ ସେତେଟା ଚର୍ଚ୍ଚା ହେଉନାହିଁ, କିନ୍ତୁ ଜିଲ୍ଲା ସ୍ତରରେ ଏମାନେ ଧିରେ ଧିରେ କଂଗ୍ରେସ ଭାଡି ଖାଲି କରିଦେଲେଣି । ତେବେ କଂଗ୍ରେସ ଛାଡୁଥିବା ଅଧିକାଂଶ ନେତା ଓ କର୍ମୀ ଶାସକ ବିଜେଡି ଖୁଆଡକୁ ଆସୁଥିବାବେଳେ ଆଉ କିଛି ବିଜେପି ମୁହାଁ ହେଉଛନ୍ତି । ଏମାନଙ୍କ ଭାଗ୍ୟ ଓ ଭବିଷ୍ୟତ କ’ଣ ହେବ ତାହା ଆଗାମୀ ଦିନ ହିଁ କହିବ ।

ତେବେ ଏତେ ସବୁ ସତ୍ୱେ ବି କଂଗ୍ରେସରେ ଏବେ ରାଜ୍ୟ ସଭାପତି ପଦକୁ ନେଇ ଛକାଛକି ଚାଲିଛି । କଂଗ୍ରେସ ଭବନରେ ଭଙ୍ଗାରୁଜା ବି ହେଉଛି । ଦଳର ଆନ୍ଦୋଳନ ରାଜଧାନୀ ବାଉଣ୍ଡରୀ ଡେଇଁ ପାରୁନାହିଁ । ବରିଷ୍ଠ ନେତାମାନେ ପରସ୍ପରକୁ ଦୋଷ ଦେଉଛନ୍ତି । ଗୋଟିଏ ଗୋଷ୍ଠି ନିରଞ୍ଜନ ହଟାଓ କାମରେ ଲାଗିଥିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠି ନିରଞ୍ଜନ ସୁରକ୍ଷାରେ ଲାଗିଛନ୍ତି । ଦଳରେ କିଏ ରହିଲେ କି ନରହିଲେ ଏମାନଙ୍କର କିଛି ଯାଏ ଆସେ ନାହିଁ । ଦଳରେ ଆଉ ଗୋଟିଏ ଯୁବଗୋଷ୍ଠି, ଯେଉଁମାନଙ୍କର କି ଲମ୍ବା ଇନିଂସ ଖେଳିବାର ଅଛି ସେମାନେ କେବଳ ମୁକ ଦର୍ଶକ ସାଜୁଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ କିଭଳି ପଞ୍ଚାୟତ ଓ ପରେ ପରେ ହେବାକୁ ଥିବା ସମବାୟ ଏବଂ ପୌର ସହିତ ୨୦୨୪ରେ ସାଧାରଣ ନିର୍ବାଚନ ଲଢିବ ତାହାକୁ ନେଇ ଏବେ ଦଳୀୟ କର୍ମୀଙ୍କ ମହଲରେ ସରଗରମ ଆଲୋଚନା ଚାଲିଛି ।