Odia News Portal

ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି କମିବାରେ ଲାଗିଛି

ଓଡିଶାରେ କମି କମି ଯାଉଛି କରୋନା ସଂକ୍ରମଣ । କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ରାଜ୍ୟରେ କମିବାରେ ଲାଗିଛି । ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ କମିବା ଅବସ୍ଥାରେ ଅଛି । ପୂରା ତଳକୁ ଆସିନାହିଁ । ଦ୍ଵିତୀୟତଃ ଟୀକାକରଣ ଅଧିକ ଥିବାରୁ ଲୋକଙ୍କଠାରେ କମ ଲକ୍ଷଣ ଦେଖାଯାଉଛି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ । ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକସନାରୀ ଡୋଜ ବି ନେଇ ଯାଆନ୍ତୁ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆହୁରି କହିଛନ୍ତି କି ସାମଗ୍ରିକ ଭାବେ ଯାହା ଦେଖାଯାଉଛି, କରୋନା ସଂକ୍ରମଣ ବର୍ତ୍ତମାନ ତଳମୁହାଁ ରହିଛି । ଗ୍ରାଫ ତଳକୁ ପହଞ୍ଚିବା ଯାଏ ଆମେ ଆଉ କିଛି ଦିନ ଅପେକ୍ଷା କରିବା । ଆମ ରାଜ୍ୟର ଷ୍ଟାଣ୍ଡର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ଏପର୍ୟ୍ୟନ୍ତ ରାଜ୍ୟରେ ସଂକ୍ରମଣ ତଳକୁ ଆସିନାହିଁ । ଯେହେତୁ ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ, କେତେବେଳେ ବି ବଢ଼ିପାରେ । ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।