Odia News Portal

ଭୁବନେଶ୍ୱରରେ ସେଞ୍ଚୁରି ମାରିଲା କରୋନା

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ କରୋନା ତାର ପ୍ରଭାବ ଦେଖାଇବାରେ ଲାଗିଲାଣି । ଆଜି ଗୋଟିଏ ଦିନରେ ରାଜଧାନୀରୁ ଶତାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ରାଜଧାନୀବାସୀଙ୍କ ମନରେ ଛନକା ପଶିଛି । ଚିନ୍ତାର ବିଷୟ ଏହା ଯେ, ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ଭିତରେ ୮୦ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ବିଏମସିର ରିପୋର୍ଟ ମୁତାବକ, ଆଜି ରାଜଧାନୀରୁ ମୋଟ ୧୦୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୨୧ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ବାକି ୮୦ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ତେବେ ଭୁବନେଶ୍ୱରରୁ ଏତେ ମାତ୍ରାରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଭୟ ବଢାଇଛି । ବିଶେଷକରି ରସୁଲଗଡ, ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର ଓ ନୟାପଲ୍ଲୀରୁ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକି ଉଭୟ ପ୍ରଶାସନ ଓ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।