Odia News Portal

ଚତୁର୍ଥ ଦିନିକିଆ: ୮ ୱିକେଟରେ ଜିତିଲା ନ୍ୟୁଜିଲାଣ୍ଡ

ପ୍ରଥମ ତିନୋଟି ଦିନିକିଆରେ ଏକ ତରଫା ଭାବେ ବିଜୟ ହାସଲ କରିଥିବା ଭାରତ ଏଠାରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି। ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ଭ୍ରମଣକାରୀ ଭାରତକୁ ୮ ଓ୍ଵିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୩୦.୫ ଓଭରରେ ୯୨ ରନରେ ଅଲଆଉଟ୍ ହେବା ପରେ କ୍ଵିଓ୍ଵି ଦଳ ୧୪.୪ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ରସ୍ ଟେଲର (୩୭ରନ) ଓ ହେନରି ନିକୋଲାସ (୩୦ରନ) ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି। ଘରୋଇ ଦଳର ଏହି ବିଜୟ ପରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୩-୧ରେ ରହିଛି। ୨୧ ରନ ଦେଇ ୫ ଓ୍ଵିକେଟ୍ ନେଇଥିବା ଟ୍ରେଣ୍ଟ ବୋଲ୍ଟ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ଵିତୀୟ ସବୁଠୁ କମ ସ୍କୋର

ଚତୁର୍ଥ ଦିନିକିଆରେ ଭାରତୀୟ ଦଳର ପ୍ରଦର୍ଶନ ବହୁତ ଖରାପ ରହିଥିଲା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ଵିତୀୟ ସବୁଠୁ କମ ସ୍କୋର କରିଛି। ଦିନିକିଆରେ ଭାରତର ଏହା ସପ୍ତମ ସର୍ବନିମ୍ନ ସ୍କୋର। ନ୍ୟୁଜିଲାଣ୍ଡ ବିପକ୍ଷରେ  ୨୦୧୦ରେ ଭାରତର ପୂରା ଦଳ ଦାମ୍ବୁଲାରେ ୮୮ ରନରେ ଅଲଆଉଟ୍ ହୋଇଥିଲା। ଦିନିକିଆରେ ଭାରତର ସର୍ବନିମ୍ନ ସ୍କୋର ୫୪ ରହିଛି।