Odia News Portal

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ କଟକରେ ବିରୋଧ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ କଟକରେ ବିରୋଧ । ସେପଟେ ଅଗ୍ନିପଥ ଯୋଜନା ମାଧ୍ୟମରେ ସେନାରେ ନୂଆ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରି ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଆର୍ମି ନିଯୁକ୍ତି ଅଫିସ ପାଖରେ ବି ଅଗ୍ନିପଥ ବ୍ୟବସ୍ଥାକୁ ବିରୋଧ କରି ପ୍ରତିବାଦ କରାଯାଇଛି। କଟକର କ୍ୟାଣ୍ଟନମେଣ୍ଟ ରୋଡରେ ଥିବା ଆର୍ମି ନିଯୁକ୍ତି ଅଫିସ ସମ୍ମୁଖରେ ଶତାଧିକ ଯୁବକ ରାସ୍ତା ଉପରେ ହାତରେ ଠେଙ୍ଗା ଧରି ଦୌଡ଼ିବା ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ଆଗକୁ ନିଷ୍ପତ୍ତି ପ୍ରତ୍ୟାହାର କରା ନଗଲେ ଆନ୍ଦୋଳନ ଭୟାବହ ହେବ ବୋଲି ଏମାନେ ଚେତାବନୀ ଦେଇଛନ୍ତି।

ତେବେ ସେନାରେ ଭର୍ତ୍ତି ନେଇ ନୂଆ ଅଗ୍ନିପଥ ବ୍ୟବସ୍ଥାକୁ ବିରୋଧ କରି ସାରା ଦେଶରେ ପ୍ରତିବାଦ ଦେଖିବାକୁ ମିଳିଥିବା ବେଳେ ଆଜି କଟକରେ ଏଭଳି ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ପ୍ରତିବାଦକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରଖିଛି। ପରେ ପୁଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇଛି। ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ବିହାରରେ ବିକ୍ଷୋଭକାରୀମାନେ ଟ୍ରେନ୍ ପୋଡ଼ିଦେଇଥିବାର ଖବର ବି ସାମ୍ନାକୁ ଆସିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।