Odia News Portal

ଆଇଡିଏସର ମାଗଣା ମୁଖଗହ୍ୱର କର୍କଟ ପରୀକ୍ଷା

ଭୁବନେଶ୍ୱର: ଭାରତରେ ମୁଖ ଗହ୍ୱର କର୍କଟ ରୋଗ ତିନୋଟି ପ୍ରମୁଖ କର୍କଟ ପ୍ରକାରରୁ ଅନ୍ୟତମ ଯେଉଁଥିରେ କି ପ୍ରତି ଏକ ଘଣ୍ଟାରେ ୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ । ଯଦି ଏହି ରୋଗର ଆଗୁଆ ଚିହ୍ନଟ ଏବଂ ଚିିକିତ୍ସା କରାଯାଏ ତେବେ ଏହାଦ୍ୱାରା ରୋଗୀଟି ଯଥେଷ୍ଟ ଅଧିକ ଦିନ ବଞ୍ଚି ରହିବାର ସୁଯୋଗ ପାଇଥାଏ ଏବଂ ଏହାର ଚିକିତ୍ସା ମଧ୍ୟ ଖୁବ୍ ସୁଲଭ ହୋଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସସ୍ , ଇନସ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି ।

ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନାସନାଲ ଇନଷ୍ଟିଚୁସନାଲ ରାଙ୍କୀଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ରାକିଂରେ ସାରା ଦେଶର ଦନ୍ତ ବିଜ୍ଞାନ ଅନୁଷ୍ଠାନ ମଧ୍ୟରେ ୧୨ ତମ ସ୍ଥାନରେ ରହିଥିବା ଆଇଡିଏସ୍ ପକ୍ଷରୁ ଆସନ୍ତ ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଦିନ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଉଥିବା ଏହି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଥିବା ବେଳେ ଅଧିକ ସଂଖ୍ୟକ ଜନସାଧାରଣର ଏହି ମାଗଣା ପରୀକ୍ଷାର ସୁଯୋଗ ଉଠାନ୍ତୁ ବୋଲି ଅନୁରୋଧ କରାଯାଇଛି । ଆଇଡିଏସ୍ ପକ୍ଷରୁ ବର୍ଷକୁ ଦୁଇ ଥର ସପ୍ତାହବ୍ୟାପୀ ଏଭଳି ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥାଏ ।

ମୁଖ ଗହ୍ୱର କର୍କଟ ରୋଗ ଓଠ, ପାଟି, ଗାଲ, ତାଳୁ କିମ୍ବା ଜିଭରେ ଦେଖାଦେଇଥାଏ ।ମଦ୍ୟପାନ ଅଭ୍ୟାସ, ସିଗାରେଟ, ଧୂମବିହିନ ତମାଖୁ ସେବନ, ପାନ ଖାଇବା ଭଳି ଅଭ୍ୟାସ ମୁଖ ଗହ୍ୱର କର୍କଟ ରୋଗର ଆଶଙ୍କାକୁ ଅଧିକ ବଢ଼ାଇଥାଏ । ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୨୦ ଜଣ ଲୋକ ଏହି ରୋଗରେ ଶିକାର ହୋଇଥାନ୍ତି । ମୁଖ ଗହ୍ୱର କର୍କଟ ରୋଗର ଚିକିତ୍ସା ଜନସାଧାରଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଚିନ୍ତାର କାରଣ ହୋଇଛି । କାରଣ ଏହି ରୋଗ ଖୁବ୍ ବିଳମ୍ବରେ ଚିହ୍ନଟ ହୋଇଥାଏ ଯାହା ଦ୍ୱାରା କି ଚିକିତ୍ସା ପ୍ରକ୍ରିୟାର ସୁଯୋଗ ଖୁବ୍ କମ୍ ଥାଏ ଓ ଏହାର ଖର୍ଚ୍ଚ ଖୁବ୍ ଅଧିକ ହୋଇଥାଏ ।ନିୟମିତ ମୁଖ ଗହ୍ୱର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷଣ କରାଇଲେ ଏହା ପ୍ରାଥମିକ ସ୍ତରର କର୍କଟ ରୋଗର ଚିହ୍ନଟ କରାଇବାରେ ସହାୟକ ହୋଇଥାଏ ।

ଆଇଡିଏସ୍ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଥିବା ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମତି ଭାବରେ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷଣ କରାଯାଇଥାଏ । ଏହି ପ୍ରେସ ବିଜ୍ଞପପ୍ତିରେ କୁହାଯାଇଛି ଯେ ଏହି ମୁଖ ଗହ୍ୱର କର୍କଟ ପରୀକ୍ଷଣ ସପ୍ତାହରେ ରୋଗୀ ମାନଙ୍କର ରୋଗର ସଠିକ୍ ନିରୂପଣ ନିମନ୍ତେ ସମସ୍ତ ପରୀକ୍ଷା ମାଗଣାରେ କରାଯିବ । ଆଇଡ଼ିଏସର ଚାରିଟି ବିଭାଗ – ଓରାଲ ମେଡିସିନ ଆଣ୍ଡ ରେଡିଓଲଜି, ଓରାଲ ପାଥୋଲଜି ଆଣ୍ଡ ମାଇକ୍ରୋବାଇଓଲଜି, ଓରାଲ ଆଣ୍ଡ ମାକ୍ସିଲୋଫାସିଆଲ ସର୍ଜରୀ ଓ ପବ୍ଲିକ ହେଲଥ୍ ଡେଂଟିଷ୍ଟ୍ରିର ମିଳିତ ଉଦ୍ୟମରେ ଏହି ସପ୍ତାହ ଆୟୋଜିତ ହୋଇଥାଏ ।