Odia News Portal

ଆଉ ନାହାନ୍ତି ଆଦିବାସୀ ନେତା ଦୁର୍ଯୋଧନ ମାଝୀ

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଦୁର୍ୟ୍ୟୋଧନ ମାଝୀ । ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ସ୍ବର୍ଗତଃ ଦୁର୍ୟ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ସେ ୧୯୯୦ରୁ ୨୦୧୯ ପର୍ୟ୍ୟନ୍ତ କ୍ରମାଗତ ବିଧାୟକ ରହିଥିଲେ। ପ୍ରଥମେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଜନତା ଦଳରୁ ୧୯୯୦ରେ ଖଡ଼ିଆଳରୁ ସେ ବିଧାନସଭାକୁ ଆସିଥିଲେ। ଏହାପରେ ପୁଣି ୧୯୯୫ରେ ସେଠାରୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳରେ ଯୋଗଦାନ କରି ସେ ୨୦୦୦ରୁ ୨୦୧୪ ପର୍ୟ୍ୟନ୍ତ ବିଧାୟକ ରହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ସେ ୨୦୦୦ରେ ଏବଂ ୨୦୦୬ ମସିହାରେ ଦୁଇ ଥର ମନ୍ତ୍ରୀ ମଧ୍ୟ ରହିଥିଲେ।
୨୦୧୪ ମସିହାରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ । ସେହିବର୍ଷ ବିଧାନସଭା ନିର୍ବାଚନରେ ବିଜେପିରୁ ପ୍ରତିଦ୍ବନ୍ଦିତା କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସେ ଦଳରୁ ଇସ୍ତଫା ଦେବା ସହିତ ପୁନର୍ବାର ବିଜୁ ଜନତା ଦଳକୁ ଫେରି ଆସିଥିଲେ ।
ସ୍ବର୍ଗତ ମାଝୀଙ୍କ ବିୟୋଗ ଖବର ଜଣା ପଡ଼ିବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଶୋକ ପ୍ରକାଶ କରିଛନ୍ତି ।