Odia News Portal

ଭଡାଘରୁ ମିଳିଲା ଜାଲ ନୋଟ୍

ଯାଜପୁର: ଭଡା ଘରୁ ୧୩ ଲକ୍ଷ ଟଙ୍କା ନୋଟ୍ ଜବତ କରିଛି ପୋଲିସ୍ । ଯାହାର ମୂଲ୍ୟ ପ୍ରାୟ ୧୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବିଳମ୍ବିତ ରାତିରେ ଯାଜପୁର ପୋଲିସ ରେଡ୍ କରି ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଥିଲା । ମାମଲାରେ ଜଣଙ୍କୁ ଗିରଫ କରିଥିଲା ପୋଲିସ
ଗିରଫ ବ୍ୟକ୍ତିର ଘର ଯାଜପୁର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ଜଣାପଡିଛି । ସନ୍ଥ ମହାଦେବ ନିକଟରେ ଏକ ଘରେ ଭଡ଼ାରେ ରହି ଜାଲ୍ ନୋଟ୍ ଛାପୁଥିଲା । ପରେ କୌଶଳକ୍ରମେ ଏହି ଜାଲ୍ ନୋଟକୁ ରାଜ୍ୟ ବାହାରକୁ ପଠାଉଥିଲା ବୋଲି ପୋଲିସ କହିଛି । ବିଶେଷକରି ବିଜୟନଗରମ୍ ଓ ବିଶାଖାପାଟ୍ଟଣମକୁ ଲମ୍ବିଛି ଜାଲ୍ ନୋଟ୍ କାରବାରର ଚେର୍ । ତେବେ ଚନ୍ଦ୍ରମଣି ସହ ଜାଲ୍ ନୋଟ୍ କାରବାରରେ ଆଉ କିଏ ସମ୍ପୃକ୍ତ ପୋଲିସ ସେନେଇ ତଦନ୍ତ ଚାଲିଥିବା କହିଛି ।
ଅଭିଯୁକ୍ତ ଚନ୍ଦ୍ରମଣି ବଳ ପୂର୍ବରୁ ଜାଲ୍ ନୋଟ୍ କାରବାର ପାଇଁ ୨ ଥର ଜେଲ୍ ମଧ୍ୟ ଯାଇଛି । ୨୦୧୭ରେ କାଳିଆପାଣି ଥାନା ଓ ୨୦୨୦ରେ ଯାଜପୁର ରୋଡ୍ ଦାନଗଦୀ ଥାନାରେ ଅଭିଯୁକ୍ତ ଚନ୍ଦ୍ରମଣି ନାଁରେ ମାମଲା ରହିଛି । ତା’ଠାରୁ ପୋଲିସ ୪୨ଟି ୱାନ୍ ସାଇଡ୍ ପ୍ରିଣ୍ଟେଡ୍ ଶହେ ଟଙ୍କିଆ ସହ ପ୍ରିଣ୍ଟର, କାଗଜ, ଷ୍ଟାମ୍ପ ଆଦି ଜବତ କରିଛି । ୨୫ ହଜାର ୧୭ ଟଙ୍କା ଦେଲେ ଅଭିଯୁକ୍ତ ଲକ୍ଷେ ଟଙ୍କାର ଜାଲ୍ ନୋଟ୍ ଦେଉଥିବା ଜଣାପଡ଼ିଛି । ଆବଶ୍ୟକ ହେଲେ ଚନ୍ଦ୍ରମଣିକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସଡିପିଓ ।