Odia News Portal

ବନ୍ୟା ସ୍ଥିତି: ଜଗତସିଂହପୁର ଓ ପୁରୀ ଜିଲ୍ଲା ଅଧିକ ପ୍ରଭାବିତ ହେବ

ରାଜ୍ୟରେ ବନ୍ୟା ସ୍ଥିତି ଦେଖା ଦେଇଛି। ବନ୍ୟାରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବ। ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ୩୦ରୁ ୪୦ ଭାଗ ପ୍ରଭାବିତ ହେବ। କଟକର ନିଶ୍ଚିନ୍ତକୋଇଲି, ଆଠଗଡ଼ ଓ ବାଙ୍କୀରେ ପ୍ରଭାବ ପଡ଼ିବ।

ଏସଆରସି କହିଛନ୍ତି, ନୟାଗଡ଼ର କଣ୍ଟିଲୋ, ଭାପୁର ଓ ବୌଦ୍ଧର ହରଭଙ୍ଗା ଜଳମଗ୍ନ ହେବ। ସୋନପୁର ଜିଲ୍ଲାର ବୀରମହାରାଜପୁର ଉପରେ ପ୍ରଭାବ ପଡ଼ିବ। ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କ ସହ ସେ କଥା ହୋଇଥିବା ଏସ ଆରସି କହିଛନ୍ତି। ରାତିରେ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଗାଁ ଲୋକ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହଯୋଗ ଲୋଡ଼ାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ଛତିଶଗଡ଼ ବର୍ଷା ସହ ତେଲ୍ ନଦୀ ଚିନ୍ତା ବଢ଼ାଇଛି। ଛତିଶଗଡ଼ରେ ବର୍ଷା ଲାଗି ରହିଥିବା ବେଳେ ଏପଟେ ତେଲ୍ ନଦୀରେ ପାଣି ବଢ଼ୁଥିବାରୁ ପ୍ରବଳ ବନ୍ୟା ହେବାର ସମ୍ଭାବନା ରହିଛି। ତେଲ୍ ନଦୀ ପାଣି ହୀରାକୁଦ ତଳ ମୁଣ୍ଡରେ ମିଶୁଥିବାରୁ ଏହା ଚିନ୍ତାର କାରଣ ପାଲଟିଛି।