Odia News Portal

ଅଭାବ ପୂରଣ କରିବ ବିଦେଶୀ ଟିକା

ପ୍ରକ୍ରିୟା ତ୍ବରାନ୍ବିତ କରିବେ କେନ୍ଦ୍ର ସରକାର

ଚଳିତ ବର୍ଷ କିଛି ବିଦେଶୀ ଟିକାକୁ ମଞ୍ଜୁରୀ ଦେବାକୁ ସରକାର ଯୋଜନା କରିଛନ୍ତି, ସେଗୁଡ଼ିକ ହେଲା-ଜନସନ ଆଣ୍ଡ ଜନସନ, ଜାଇଡସ କାଡ଼ିଲା, ନୋଭାଭାକ୍ସ ଏବଂ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ନାକରେ ଦିଆଯାଇପାରୁଥିବା ଟିକା। ଦେଶରେ ଏବେ ଟିକାର ଘୋର ଅଭାବ ଦେଖିବାକୁ ମିଳିଥିବା ବେଳେ ଅଧିକ ସଂକ୍ରମିତ ଥିବା ରାଜ୍ୟର ସରକାର ଏବେ ଚିନ୍ତାରେ। ବିଶେଷ କରି ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ବେଳେ ଏଠାରେ ଟିକା ଅଭାବ ପାଇଁ ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇସାରିଲାଣି। ପରିସ୍ଥିତିରେ ସୁଧାର ଆଣିବା ପାଇଁ ଆଜି ଡିସିଜିଆଇ ଋଷର ଟିକା ସ୍ପୁଟନିକ-ଭିର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି, ଯାହା ବର୍ଷିକ ୮୫୦ମିଲିୟନ ଡୋଜ ଉତ୍ପାଦନ କରିବ।

 ଭାରତରେ ଏବେ ଦୁଇଟି କରୋନା ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ଲୋକଙ୍କୁ ଦିଆଯାଉଥିବା ବେଳେ ଋଷର ଟିକା ସ୍ପୁଟନିକ-ଭିର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ସରକାର। ତେବେ ଟିକାର ଅଭାବ ଦୂର କରିବା ପାଇଁ ଆଗକୁ କେନ୍ଦ୍ର ସରକାର ଅନ୍ୟ ଦେଶରେ ମଞ୍ଜୁରୀ ମିଳିସାରିଥିବା ଏକାଧିକ ବିଦେଶୀ ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେବାର ଯୋଜନା କରୁଥିବା ଜଣାପଡ଼ିଛି। ଏକାଧିକ ଟିକା ଆସିଲେ ଦେଶରେ ଟିକାର ଅଭାବ ଦୂର ହୋଇ ପାରିବ।