Odia News Portal

କଂଗ୍ରେସ କଳି: ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

ଭୁବନେଶ୍ବର: ପୁଣି ଦାଣ୍ଡରେ ପଡି ହାଟରେ ଗଡିଲା କଂଗ୍ରେସ କଳି । କଂଗ୍ରେସ ଭବନର ପାର୍ଟି ଅଫିସରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ । କଂଗ୍ରେସ ଭବନ ପରିସରରେ ହେବାକୁ ଥିବା ଓବିସି ସେଲ୍‌ ବୈଠକ ପୂର୍ବରୁ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଆଜି କଂଗ୍ରେସ ଭବନରେ ଓବିସି ସେଲ୍‌ ବୈଠକ ବସିବାର ଥିଲା । କିନ୍ତୁ କୌଣସି କାରଣ ଲାଗି ୨ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲେ । ଯାହାଫଳରେ କି କଂଗ୍ରେସ ଭବନରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ଏପରିକି ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଥିଲା । ଓବିସି ସେଲ୍‌ ବୈଠକରେ ପୂର୍ବତନ ଅଧ୍ୟକ୍ଷଙ୍କୁ ବିରୋଧ କରି ଏହି ଗଣ୍ଡଗୋଳ ହୋଇଥିବା ସୂଚନା ରହିଛି ।  ପିସିସି ସଭାପତିଙ୍କ ଉପସ୍ଥିତିରେ ଏଭଳି ବିବାଦୀୟ ପରିସ୍ଥିତି ଉପୁଜିଛି ।

ଓବିସି ସେଲ୍ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ତାଲା ପକାଇ ଦେଇଥିଲେ ଗୋଟିଏ ଗୋଷ୍ଠୀ। ଦଳ ବିରୋଧୀ କାମ ଅଭିଯୋଗରେ ବିଷ୍ଣୁ ବାରିକଙ୍କ ବିରୋଧରେ ସ୍ବର ଉଠିଛି। ଏନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ସୁରେଶକୁମାର ରାଉତରାୟ ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ। ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।