Odia News Portal

କ୍ୟାନ୍ସର ରୋଗୀଙ୍କୁ ମାଗଣା ସିଟି ସ୍କାନ୍

ଭୁବନେଶ୍ୱର: କ୍ୟାନ୍ସର ରୋଗୀଙ୍କ ପାଇଁ ଆଶ୍ଵସ୍ତି | କ୍ୟାନ୍ସର ରୋଗୀଙ୍କ ପେଟ ସିଟି ସ୍କାନର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମଙ୍ଗଳବାର ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ନେଇ ଏକ ସତ୍ୟପାଠ ଦାଖଲ କଲା ପରେ ଆସନ୍ତା ମାସ ୧ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଆଜି ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପିଟିସନକୁ ଗ୍ରହଣ କରି ଆଜି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଏକମାତ୍ର କ୍ୟାନ୍ସର ହସ୍ପିଟାଲର ମାନ୍ୟତା ପାଇ ମଧ୍ୟ ଆଚାର୍ଯ୍ୟ ହରିହର କେନ୍ଦ୍ରରେ ପେଟ ସିଟି ସ୍କାନର ବ୍ୟବସ୍ଥା ନାହିଁ। ଅପରପକ୍ଷେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କର୍କଟ ରୋଗୀ ଏହି ହସ୍ପିଟାଲର ଉପରେ ନିର୍ଭରଶୀଳ। ତେବେ ଘରୋଇ ଡାଇଗ୍ନୋଷ୍ଟିକ ସଂସ୍ଥା ମାନେ ପେଟ ସିଟି ସ୍କାନ୍ ଲାଗି ମୋଟା ଅଙ୍କର ଅର୍ଥ ଦାବି କରୁଥିବା ହେତୁ ଗରିବ ଶ୍ରେଣୀର ରୋଗୀଙ୍କ ଲାଗି ନାନା ପ୍ରକାର ସମସ୍ୟା ଉପୁଜିଛି । ସେହିଭଳି ସମସ୍ୟାରେ ପଡ଼ି ଜଣେ ମହିଳା କ୍ୟାନ୍ସର ରୋଗୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ , ତାଙ୍କ ଆବେଦନକୁ ଗ୍ରହଣ କରି ଆଜି କୋର୍ଟ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ।

କ୍ୟାନ୍ସର ଏକ ଭୟାନକ ରୋଗ ହୋଇଥିବା ବେଳେ ଏହାର ଚିକିତ୍ସା ବ୍ୟୟବହୁଳ ହୋଇଥାଏ। ଯାହା ଜଣେ ସାଧାରଣ ରୋଗୀ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ। ରୋଗର ଉତ୍ତମ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାବେଳେ ସେମାନଙ୍କ ପାଖରେ ଆବଶ୍ୟକ ଅର୍ଥ ନଥାଏ। ଏ କ୍ଷେତ୍ରରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ଅସାହାୟ କ୍ୟାନ୍ସର ରୋଗୀଙ୍କ ପାଇଁ ବେଶ ଉପଯୋଗୀ।