Odia News Portal

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଯାଜପୁରର କୁନିଝିଅ ଶିକ୍ତା ବସୁନ୍ଧରା ମାଝି

ବୟସ ମାତ୍ର ୧ ବର୍ଷ ୭ମାସ। ଏହି କୋମଳମତି ବୟସରେ ନିଜର ସ୍ମରଣଶକ୍ତି ଓ ବୁଦ୍ଧିମତା ପାଇଁ ସେ ଆଜି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ଅଧିକାର କରିପାରିଛନ୍ତି। ସେ ପଶୁପକ୍ଷୀ, ଫଳ, ପନିପରିବା, ବିଭିନ୍ନ ରଙ୍ଗ, ସ୍ବାଧୀନତା ସଂଗ୍ରାମୀ ଓ ମଣୀଷ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଆଦିକୁ ଚିହ୍ନଟ କରି ସେ ଏଭଳି ଗୌରବ ଅର୍ଜନ କରିବାକୁ ସକ୍ଷମ ହୋଇପାରିଛନ୍ତି।

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ଇଚ୍ଛାଶକ୍ତି ଓ ପ୍ରତିଭା ଥିଲେ ସଫଳତା ଦିନେ ନିଶ୍ଚିତ ମିଳିବ। ଯାହାକୁ ଆଜି ପ୍ରମାଣ କରି ଦେଖାଇଛନ୍ତି ଯାଜପୁରର ଶିଶୁ ପ୍ରତିଭା ଶିକ୍ତା ବସୁନ୍ଧରା ମାଝୀ। ତାଙ୍କ ବୟସ ମାତ୍ର ୧ ବର୍ଷ ୭ ମାସ। କୁନି ପିଲାଟିଏ ହୋଇଥିଲେ ମଧ୍ୟ ସ୍ମରଣ ଶକ୍ତି ବେଶ ପ୍ରଖର। ନିକଟରେ ଇଣ୍ଡିଆ ବୁକ୍ ଅଫ ରେକର୍ଡର ପ୍ରତିଯୋଗିତାରେ ଭାଗ ନେଇ ସେ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସେ ପଶୁପକ୍ଷୀ, ଫଳ, ପନିପରିବା, ବିଭିନ୍ନ ରଙ୍ଗ, ସ୍ବାଧୀନତା ସଂଗ୍ରାମୀ ଓ ମଣିଷ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଆଦିକୁ ନିର୍ଭୁଲ ଭାବେ ଚିହ୍ନଟ କରିପାରିଥିଲେ। ଯାଜପୁର ଜିଲ୍ଲା କୋରାଇ ବ୍ଲକ ରଣସରପୁର ଗ୍ରାମର ସୁରେନ୍ଦ୍ର ମାଝୀଙ୍କ ଏକମାତ୍ର ଝିଅ ହେଉଛନ୍ତି ଶିକ୍ତା ବସୁନ୍ଧରା ମାଝୀ। ବାପା ସୁରେନ୍ଦ୍ର ଜଣେ କଲେଜ ଅଧ୍ୟାପକ ଭାବେ କାର୍ଯ୍ଯରତ। ତେବେ ସ୍କୁଲ ଯିବା ବୟସ ହୋଇନଥିଲେ ମଧ୍ୟ ଶିକ୍ତା ବସୁନ୍ଧରା ଏତେ ଛୋଟ ବୟସରେ ଏତେ ସବୁ ଜିନିଷ ଚିହ୍ନଟ କରି ବିଚାରକମଣ୍ଡଳୀଙ୍କୁ ଆଶ୍ଚର୍ଯ୍ଯ କରିଦେଇଥିଲେ। ଶିକ୍ତା ବସୁନ୍ଧରାଙ୍କ ଏହି ସଫଳତା ତାଙ୍କ ପରିବାର ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। ଶିକ୍ତାଙ୍କର ଏହି ସଫଳତା ପାଇଁ ତାଙ୍କ ବାପା ମା’ ଙ୍କ ସମେତ ପୁରା ପରିବାର ବେଶ ଆନନ୍ଦିତ।

ଛୋଟ ବୟସରୁ ଶିକ୍ତା ବସୁନ୍ଧରାଙ୍କର ପ୍ରତିଭାକୁ ଚିହ୍ନି କରି ପାରିଥିଲେ ତାଙ୍କ ବାପା ମା’। ଝିଅର ସଫଳତା ପଛରେ ମାଙ୍କର ବିଶେଷ ହାତ ରହିଛି। ମାଙ୍କର ପ୍ରେରଣା ସହ ଘରେ ଉଚିତ ଶିକ୍ଷାଦାନ ଯୋଗୁ ସେ ଏହି ସଫଳତା ହାସଲ କରିଛନ୍ତି। ଇଣ୍ଡିଆ ବୁକ ଅଫ ରେକର୍ଡସ ପାଇଁ ଗତ ଡିସେମ୍ବର ମାସରେ ଆବେଦନ କରାଯାଇଥିଲା। ପରେ ଏନେଇ ହୋଇଥିବା ପରୀକ୍ଷାରେ ଶିକ୍ତା ବସୁନ୍ଧରା ସଫଳତା ଅର୍ଜନ କରିଥିଲେ। ତେବେ ଶିକ୍ତା ବସୁନ୍ଧରାଙ୍କ ଏହି ସଫଳତାକୁ ନେଇ ଅଞ୍ଚଳବାସୀ ମଧ୍ୟ ବେଶ ଖୁସି ପ୍ରକଟ କରିଛନ୍ତି। ଶିକ୍ତା ବସୁନ୍ଧରାଙ୍କ ଏହି ଅନନ୍ଯ କୃତୀତ୍ୱ ପାଇଁ ଏବେ ତାଙ୍କ ପରିବାର ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।