Odia News Portal

ଆହୁରି କମିବ ତୈଳ ଦର

ନିକଟରେ ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିବା କେନ୍ଦ୍ର ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଦାମକୁ କମ କରିବା ପାଇଁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ତେବେ ଅଶୋଧିତ ତୈଳର ଦାମ ବଢ଼ିବା ଯୋଗୁ ଏବେ ବି ଅନେକ ସ୍ଥାନରେ ପେଟ୍ରୋଲର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି।

ଏସବୁ ଭିତରେ ତୈଳ ଉତ୍ପାଦନ କରୁଥିବା ଦେଶଗୁଡ଼ିକର ସଂଗଠନ ଓପିଇସି ଅଧିକ ଉତ୍ପାଦନ କରିବାକୁ ମନା କରିଦେଇଛନ୍ତି। ଏହାକୁ କାଉଣ୍ଟର କରିବା ପାଇଁ ଭାରତ, ଆମେରିକା ଓ ଜାପାନ ଭଳି ଅଧିକ ତୈଳ ବ୍ୟବହାର କରୁଥିବା ଦେଶଗୁଡ଼ିକ ନୂଆ ରଣନୀତି କରିଛନ୍ତି। ରଣନୀତି ଅନୁଯାୟୀ ଅଶୋଧିତ ତୈଳର ଦାମ ହ୍ରାସ କରିବା ପାଇଁ ଭାରତ ସରକାର ରଣନୀତିକ ତୈଳ ଭଣ୍ଡାର ବା ଷ୍ଟ୍ରାଟେଜିକ ଅଏଲ ରିଜରଭରରୁ ୫୦ ଲକ୍ଷ ବ୍ୟାରେଲ କଞ୍ଚା ତେଲ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତ ଏବେ ଆମେରିକା ଓ ଚାଇନା ଭଳି ଆର୍ଥିକସ୍ତରରେ ମଜବୁତ ଥିବା ଦେଶଗୁଡ଼ିକ ସହ ମିଶି ବଜାରକୁ ଅଧିକ ପରିମାଣର ଅଶୋଧିତ ତୈଳ ଆଣିବାକୁ ଚାହୁଁଛି। ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଏହି ନିଷ୍ପତ୍ତି ଅନୁଯାୟୀ କାମ ଆରମ୍ଭ ହେବ। ଭାରତର ରଣନୀତି ଭଣ୍ଡାରରୁ ବାହାରୁ ଥିବା ଅଶୋଧିତ ତେଲକୁ ମାଙ୍ଗାଲୁରୁ ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ ଲିଃ(ଏମଆରପିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ(ଏଚପିସିଏଲ)କୁ ବିକ୍ରି କରାଯିବ। ଏହି ଦୁଇ ସରକାରୀ ତୈଳ ରିଫାଇନାରୀ ୟୁନିଟ ରଣନୀତିକ ତେଲ ଭଣ୍ଡାର ସହ ପାଇପଲାଇନ ଜରିଆରେ ଯୋଡ଼ି ହୋଇଛନ୍ତି।