Odia News Portal

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦

ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍‌ ନାଗପୁରର ବିଦର୍ଭ କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ମୋହାଲିରେ ଶୋଚନୀୟ ପରାଜୟ ପରେ ଟିମ୍‌ ଇଣ୍ଡିଆରେ ନାଗପୁରରେ କର ବା ମର ପରିସ୍ଥିତିର ସାମ୍ନା କରିବ । ମ୍ୟାଚ୍‌ ହାରିଲେ ଦଳ ଘରୋଇ ମାଟିରେ ସିରିଜ୍‌ ହାରିବ । ଏହି ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ କିଛିଟା ଚିନ୍ତାର ବିଷୟ ରହିଛି । ଦଳ କେବେ ବ୍ୟାଟିଂରେ ଭଲ କଲେ ବୋଲିଂରେ ନିରାଶ କରୁଛି ତ କେତେବେଳେ ବୋଲିଂରେ ଭଲ କଲେ ବ୍ୟାଟିଂରେ ନିରାଶ କରୁଛି । ତେବେ ବିଗତ ତିନି ଚାରି ମ୍ୟାଚ୍‌ରେ ଭାରତୀୟ ବୋଲର ଡେଥ୍‌ ଓଭର (ଶେଷ ଓଭର) ମାନଙ୍କରେ ଅତ୍ୟଧିକ ରନ ଦେବା ଯୋଗୁଁ ମ୍ୟାଚ ପରାଜୟ ହେବାର ମୁଖ୍ୟ କାରଣ ବୋଲି କୁହାଯାଉଛି । ବିଶେଷ ଅଭିଜ୍ଞତା ଥିବା ଭୁବନେଶ୍ୱର କୁମାରଙ୍କୁ ନେଇ ଏବେ ଚିନ୍ତା ବଢ଼ିଛି । ଭୁବନେଶ୍ୱର ତାଙ୍କ ଶେଷ ଓଭରରେ ଅତ୍ୟଧିକ ରନ୍‌ ବ୍ୟୟ କରୁଥିବାରୁ ଏହା ତାଙ୍କ ପାଇଁ ଓ ଦଳ ପାଇଁ ଅଡ଼ୁଆ ହେଉଛି । ସେହିପରି ନାଗପୁରରେ ପୂର୍ବରୁ ଖେଳା ଯାଇଥିବା ମ୍ୟାଚ୍‌ କେବେ ହେଲେ ଭାରତ ସପକ୍ଷରେ ଯାଇନାହିଁ । ନାଗପୁର ଷ୍ଟାଡିୟମରେ ଷ୍ଟାର ବ୍ୟାଟରଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିନାହିଁ । ଭାରତୀୟ ଅଧିନାୟକ ରୋହିତ ଶର୍ମା ବହୁ ସମୟରୁ ବଡ ଇନିଂସର ସନ୍ଧାନରେ ଅଛନ୍ତି । ଗତ କିଛି ମ୍ୟାଚରେ ସେ ଭଲ ଆରମ୍ଭ କରୁଥିଲେ ହେଁ ଏହାକୁ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି ।

ଦ୍ୱିତୀୟ ଟି-୨୦ ମୁକାବିଲାରେ ରୋହିତ ଏବଂ କୋହଲିଙ୍କୁ ବଡ ଇନିଂସ ଖେଳିବାକୁ ପଡିବ । ତେବେ ଆଜିର ମ୍ୟାଚ୍‌ରେ ଭାରତୀୟ ଦଳ ତାର ଡେଥ୍‌ ଓଭର ବୋଲିଂ ଲାଇନଅପ୍‌କୁ ସଜାଡିବା ସହ ବ୍ୟାଟିଂକୁ ଆହୁରି ଦୃଢ଼ କରିବା ପାଇଁ ପ୍ରୟାସ କରିବ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ ଜିତିବା ପରେ ଆତ୍ମବିଶ୍ୱାସ ଆହୁରି ବଢ଼ିଯାଇଛି । ମୁଖ୍ୟତଃ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲିଂକୁ ନିର୍ଘାତ ପ୍ରହାର କରିଥିଲେ ଅଷ୍ଟ୍ରେଲିଆର ବ୍ୟାଟରମାନେ । ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନଅପ୍‌ ସୁଦୃଢ଼ ରହିଥିବା ବେଳେ ଏହାକୁ କିପରି ଆଜିର ମ୍ୟାଚ୍‌ରେ ଭଙ୍ଗାଯାଇପାରିବ ସେଥିପ୍ରତି ଭାରତୀୟ ଦଳ ରଣନୀତି ସହ ପଡିଆକୁ ଓହ୍ଲାଇବେ । ଯଦି ଏହି ମ୍ୟାଚ୍‌ରେ ଭାରତ ହାରେ ତେବେ ସିରିଜଟି ଅଷ୍ଟ୍ରେଲିଆ କବ୍‌ଜାକୁ ଚାଲିଯିବ । ତେଣୁ ଏଭଳି ସ୍ଥିତିରେ ଭାରତୀୟ ଦଳ ତାର ପୁରା ଦମ୍‌ ଲଗାଇ ମ୍ୟାଚ୍‌ ଜିତିବା ପାଇଁ ଚେଷ୍ଟା କରିବ ।