Odia News Portal

ହକି ଖେଳାଳି ମାଇକେଲ୍ କିଣ୍ଡୋଙ୍କ ପରଲୋକ

ଭାରତୀୟ ହକି ଦଳର ପୂର୍ବତନ ଡିଫେଣ୍ଡର ମାଇକେଲ କିଣ୍ଡୋଙ୍କ ପରଲୋକ । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ତାଙ୍କୁ ଇସ୍‌ପାତ ଜେନେରାଲ ହସପିଟାଲରେ ଚିକିତ୍ସା କରାଯାଉଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଅବିଭାଜିତ ବିହାରର ରାଇଘମାରେ ୨୦ ଜୁନ୍ ୧୯୪୭ରେ ଜନ୍ମଗ୍ରହଣ କରିଥିଲେ ମାଇକେଲ୍ । ଶ୍ରୀ କିଣ୍ଡୋ ବହୁବର୍ଷ ଧରି ଭାରତୀୟ ହକି ଦଳର ପ୍ରତିନିଧତ୍ୱ କରିଥିଲେ। ଆର.ଏସ୍‌.ପିରେ ଯୋଗଦେବା ପରେ ଓଡିଶା ଦଳର ମଧ ନେତୃତ୍ୱ ନେଇ ଏକାଧିକ ସଫଳତା ଆଣିଥିଲେ।

ପିଲାଟି ଦିନରୁ ବିଦ୍ୟାଳୟରେ ପଢ଼ିବା ବେଳୁ ହକି ପ୍ରତି ଥିଲା ତାଙ୍କ ଆଗ୍ରହ । ସ୍କୁଲ୍ ଶିକ୍ଷା ଶେଷ ପରେ ମାଇକେଲ୍ କିଣ୍ଡୋ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ ।ଭାରତୀୟ ହକି ଦଳ ପାଇଁ ମାଇକେଲ୍ କିଣ୍ଡୋ ଖେଳିଥିଲେ । ୧୯୭୨ରେ ଭାରତୀୟ ହକି ଦଳ ଗ୍ରୀଷ୍ମ ଅଲିମ୍ପିକରେ କାଂସ୍ୟ ପଦକ ପାଇଥିଲା । ଉକ୍ତ ଟିମର ସଦସ୍ୟ ଥିଲେ ମାଇକେଲ୍ କିଣ୍ଡୋ । ସେହିଭଳି ୧୯୭୫ରେ ହକି ବିଶ୍ୱକପ୍ ଭାରତ ଜିତିଥିବା ବେଳେ ଦଳରେ ଥିଲେ ମାଇକେଲ୍ । ତାଙ୍କୁ ଏଥିପାଇଁ ଅର୍ଜୁନ ପୁରସ୍କାର ମଧ୍ୟ ମିଳିଛି । ମାଇକେଲ୍ ୧୯୬୯ରେ କେନିଆ ବିରୋଧରେ ପ୍ରଥମ ଅନ୍ତର୍ଜାତୀୟ ହକି ଖେଳିଥିଲେ ।ପ୍ରଥମ ତିନିଗୋଟି ହକି ବିଶ୍ୱକପରେ ଭାରତୀୟ ଦଳରେ ଖେଳିଥିଲେ ମାଇକେଲ୍ । ପ୍ରଥମ ଆଦିବାସୀ ହକି ଖେଳାଳି ଭାବେ ମାଇକେଲଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା ।