Odia News Portal

ଶୀନା ବୋରା ହତ୍ୟାକାଣ୍ଡ; ଛଅ ବର୍ଷ ପରେ ଜେଲରୁ ମୁକୁଳିଲେ ଇନ୍ଦ୍ରାଣୀ ମୁଖାର୍ଜୀ

ଦୀର୍ଘ ଛଅ ବର୍ଷ ପରେ ଜେଲରୁ ମୁକୁଳିଲେ ଇନ୍ଦ୍ରାଣୀ ମୁଖାର୍ଜୀ । ତେବେ ନିଜ ଝିଅ ଶୀନା ବୋରାକୁ ହତ୍ୟା କରି ସେ ଛଅ ବର୍ଷ ଜେଲରେ ଥିଲେ । ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଶୁକ୍ରବାର ଭାୟଖଲା ଜେଲରୁ ସେ ବାହାରିଛନ୍ତି। ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଇନ୍ଦ୍ରାଣୀଙ୍କୁ ଜାମିନ ମିଳିଛି। ତେବେ ତାଙ୍କୁ ଦୁଇ ସପ୍ତାହ ଭିତରେ ଏହି ଅର୍ଥ ଜମା କରିବାକୁ ପଡିବ। ୬ ବର୍ଷ ଜେଲ୍ ସଜା କାଟିବା ଏବଂ ଜାମିନ ମିଳିବା ଉପରେ ଇନ୍ଦ୍ରାଣୀ ମୁଖାର୍ଜୀ କହିଛନ୍ତି, ସେ ଜେଲ୍‌ରୁ ବାହାରି ବହୁତ ଖୁସି। ଇନ୍ଦ୍ରାଣୀ ମୁଖାର୍ଜୀ ନିଜର ପୂର୍ବ ବିବାହରୁ ଜନ୍ମିତ ଝିଅ ଶୀନା ବୋରାଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ। ଶୀନା ବୋରାଙ୍କୁ ୨୦୧୨ରେ କଥିତ ଅପହରଣ କରାଯାଇ ହତ୍ୟା କରାଯାଇଥିଲା। ମୃତଦେହ ମୁମ୍ବାଇର ବାହ୍ୟ ଅଞ୍ଚଳରେ ଏକ ଗାତରୁ ମିଳିଥିଲା।

ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ନିଜର ପୂର୍ବତନ ପତି ତଥା ମିଡିଆ ବ୍ୟବସାୟୀ ପିଟର ମୁଖାର୍ଜୀଙ୍କ ସହ ଅନ୍ୟ ଦୁଇ ଜଣ ମାମଲାର ଅଭିଯୁକ୍ତ ଥିଲେ। ପିଟର ମୁଖାର୍ଜୀ ମଧ୍ୟ ଏହି ମାମଲାରେ ଜେଲରେ ସଜା କାଟି ସାରିଛନ୍ତି। ପ୍ରତିଭାଶାଳୀ ଦମ୍ପତ୍ତିଙ୍କ ନାମରେ ପ୍ରସିଦ୍ଧ ଇନ୍ଦ୍ରାଣୀ ଏବଂ ପିଟରଙ୍କ ଯୋଡି ୨୦୦୭ରେ ଆଇଏନଏକ୍ସ ନେଟଓ୍ଵର୍କ ସ୍ଥାପନ କରିଥିଲେ। ହେଲେ ଦୁଇ ବର୍ଷ ପରେ ଅନିୟମିତତା ଅଭିଯୋଗ ପରେ ଏହାକୁ ବିକ୍ରି କରି ଦେଇଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଥିଲେ ଯେ, ୨୦୦୮ରେ କାର୍ତ୍ତି ଚିଦାମ୍ବରମ ଆଇଏନଏକ୍ସ ଉଦ୍ୟୋଗରେ କୋଟି କୋଟି ଟଙ୍କାର ବିଦେଶ ନିବେଶ ପାଇଁ ମଞ୍ଜୁରୀ ଦେବାର କାମ କରିଥିଲେ। ଏଥିପାଇଁ ତାଙ୍କୁ ଲାଞ୍ଚ ମଧ୍ୟ ମିଳିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।