Odia News Portal

ବସ୍ତିକୁ ଗଲେ, ଲୋକଙ୍କୁ ବୁଝାଇଲେ

ଜଟଣୀ: କମିଶନରେଟ୍ ପୁଲିସର ‘ବସ୍ତିକୁ ଚାଲ’ ଅଭିଯାନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ସନ୍ଧ୍ୟାରେ ଏୟାରଫିଲଡ ପୋଲିସ ସ୍ଥାନୀୟ ଖଣ୍ଡୁଆଳ ବସ୍ତିକୁ ଯାଇଥିଲେ।ବସ୍ତିରେ ଛୋଟ ଛୋଟ ପିଲା ମାନଙ୍କୁ ଖାତା,ପେନ ବାଣ୍ଟିବା ସହ ବସ୍ତି ମୁରବୀମାନଙ୍କ ସହ ଥାନା ଅଧିକାରୀ ସିଧାସଳଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ବସ୍ତି ବାସିନ୍ଦାମାନେ ସହରର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ କିଛି ଅସାମାଜିକତତ୍ତ୍ୱଙ୍କ ପାଇଁ ବସ୍ତି ଜୀବନ ଦୁର୍ବିସହ ହୋଇପଡ଼ିଛି ବୋଲି ଥାନା ଅଧିକାରୀ ବସ୍ତିବାସିନ୍ଦାଙ୍କୁ ବୁଝାଇଥିଲେ। ବିଶେଷକରି ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ ଏବଂ ବସ୍ତିକୁ ନିଶାମୁକ୍ତ କରିପାରିଲେ ସେମାନଙ୍କ ଚଳଣି ସୁଖମୟ ହେବ ବୋଲି ସେ କହିଥିଲେ। ତେଣୁ ବସ୍ତିବାସିନ୍ଦାମାନେ ପୁଲିସକୁ ସହଯୋଗ କଲେ ବସ୍ତି ସବୁ ଅପରାଧମୁକ୍ତ ହେବା ସହ ନିଶାମୁକ୍ତ ହୋଇପାରିବ । ନିର୍ଭୟରେ ମୁରବିମାନେ ପୁଲିସକୁ ସହଯୋଗ କରନ୍ତୁ ଓ ପୁଲିସ ସେମାନଙ୍କୁ ସବୁ ପ୍ରକାର ସୁରକ୍ଷା ଦେବାକୁ ପ୍ରତିଶ୍ରୃତିବଦ୍ଧ ହେବ ବୋଲି ସେମାନଙ୍କୁ ବୁଝାଇଥିଲେ।

ଏହି ଅବସରରେ ଏୟାରଫିଲଡ ଥାନା ଆଇଆଇସି ରାଧାକାନ୍ତ ସାହୁ,ସବ-ଇନିସ୍ପେକ୍ଟର ପ୍ରଦୀପ ମାହାଲା,ସବ-ଇନିସ୍ପେକ୍ଟର ଅଜିତ କୁମାର ବାର୍ଗୀଙ୍କ ସମେତ ଥାନାର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ବସ୍ତିବାସିନ୍ଦାମାନେ ମଧ୍ୟ ବିଭିନ୍ନ ସମସ୍ୟା ଉପରେ ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।