Odia News Portal

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା: ନିର୍ବାଚନ କମିଶନଙ୍କୁ ଭେଟିଲେ ସାମ୍ବାଦିକ ପ୍ରତିନିଧି ଦଳ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ସାମ୍ବାଦିକ ପ୍ରତିନିଧି ଦଳ। ଗଣମାଧ୍ୟମର ସମ୍ପାଦକ ଓ ସାମ୍ବାଦିକମାନେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଛନ୍ତି। ଏହା ସହ ସନ୍ଧ୍ୟା ସୁଦ୍ଧା ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ ସହ କଡ଼ା ଦଫା ଲଗାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ନିର୍ବାଚନ ପରିଚାଳନାରେ ଭାଗ ନେଉଥିବା ଅଧିକାରୀଙ୍କୁ ଆକ୍ରମଣ ବେଳେ ଯେଉଁ ଦଫା ଲଗାଯାଉଛି, ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକାରୀଙ୍କ ଉପରେ ମଧ୍ୟ ସେହିଭଳି ଦଫା ଲଗାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ହୋଇଛି। ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି।

ଅନ୍ୟପଟେ ପୁରୀ ଜିଲ୍ଲା କଣାସରେ ହୋଇଥିବା ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୮ ଜଣଙ୍କୁ ଗିରଫ କରାଯାଇଥିବାରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସମ୍ପାଦକମାନେ ଉଦବେଗ ପ୍ରକାଶ କରିଛନ୍ତି। ସେପଟେ ରାଜ୍ୟ ନିର୍ବାଚନ କମିଶନର ସମ୍ପୃକ୍ତ ଜିଲ୍ଲାର ଏସପିଙ୍କ ସହ ଆଲୋଚନା କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।