Odia News Portal

‘କାଳିଆକୁ କେହି ବନ୍ଦ କରିପାରିବେ ନାହିଁ’ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,( ଚକ୍ରଧର ମାଝି ) : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ରାୟଗଡା ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଉଭୟ ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ।

ରାୟଗଡା ଖଳିଗୁଡା ଠାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମିଶନ ଶକ୍ତିର ମା ମାନେ ଭଲ କାମ କରୁଛନ୍ତି । ସେମାନଙ୍କ ଭଲ କାମକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କ ପାଇଁ ବିନା ସୁଧରେ ଋଣ ଦେଉଛନ୍ତି । ମହିଳାଙ୍କ ନେତୃତ୍ୱ ଓ ଦକ୍ଷତା ଉପରେ ତାଙ୍କର ପୁରା ଭରସା ରହିଛି ବୋଲି କହିବା ସହ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ।

କାଳିଆ ଯୋଜନାରେ ୩୦ ଲକ୍ଷ ଚାଷୀ ସାମିଲ ହୋଇଛନ୍ତି ଓ ଆହୁରି ୧୦ ଲକ୍ଷ ଚାଷୀଙ୍କୁ ସାମିଲ କରାଯିବ। କାଳିଆ ଯୋଜନା ବନ୍ଦ ହୋଇଯିବ ବୋଇ କିଛି ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ଅପପ୍ରଚାର କରୁଛନ୍ତି । କାଳିଆ ଜାରି ରହିବ ଓ ଏହାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ରାୟଗଡରେ ମୁଖ୍ୟମନ୍ତ୍ରୀ ୭୩୭ କୋଟି ଟଙ୍କା ମୂଲ୍ୟର ୮୯ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ୫୩୨ କୋଟି ୫୮ ଲକ୍ଷ ଟଙ୍କାର ୪୮ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ସେହିଭଳି ଅରାହ୍ନରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଗସ୍ତ କରିଥଲେ । ସେଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ୨୦୫ କୋଟି ଟଙ୍କାର ୮୪ଟି ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ୪୬୬ କୋଟି ଟଙ୍କାର ୬୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ମୁଖ୍ୟମନ୍ତ୍ରୀ ବିଜୁ ଯୁବ ବାହିନୀର ଏକ ସମାବେଶକୁ ସମ୍ବୋଧିତ କରି ଯୁବଶକ୍ତିକୁ ସେବା ମନୋଭାବ ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ।