Odia News Portal

ମନ୍ତ୍ରୀଙ୍କ କାନ୍ଧରେ ସଂଗ୍ରାମୀ ଦାୟାଦ ଶ୍ରଦ୍ଧାନନ୍ଦଙ୍କ ଶବ

ମାହାଙ୍ଗା: ବାପାଥିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ । ମାହାଙ୍ଗା ଗାନ୍ଧୀ ସଚ୍ଚିଦାନନ୍ଦ ଜେନା । ମାଆ ନିରୂପମା ଦେବୀ ଥିଲେ ସ୍ୱାଧୀନତା ସଂଗ୍ରାମୀ । ଉଭୟ ସଂଗ୍ରାମୀ ଦମ୍ପତିଙ୍କ ସୁଯୋଗ୍ୟ ଦାୟାଦ ଶ୍ରଦ୍ଧାନନ୍ଦଙ୍କ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଗତ ରାତି ଆଠଟା ବେଳେ ଦେହାନ୍ତ ଘଟିଛି । ସଂଗ୍ରାମୀ ମାଟିର ସମର୍ପିତ ମଣିଷ ଥିଲେ ଶ୍ରଦ୍ଧାନନ୍ଦ । ସେବା, ତ୍ୟାଗ, ସଂଗ୍ରାମ ଓ ସମର୍ପଣ ଭାବନା ଥିଲା ଯେଉଁ ପରିବାରର ଧରୋହର ସେହି ବଂଶର ସୁଯୋଗ୍ୟ ଦାୟାଦ ଥିଲେ ଶ୍ରଦ୍ଧାନନ୍ଦ ଜେନା । ଯାହାଙ୍କୁ ଶ୍ରଦ୍ଧାରେ ସାରା ମାହାଙ୍ଗା ଡାକୁଥିଲା ବୁଢାନା ବୋଲି । ବାପାଙ୍କ ଆଦର୍ଶ ଓ ତ୍ୟାଗକୁ ଜୀବନର ସର୍ବଶ୍ରେଷ୍ଠ ସନ୍ତକ ଭାବରେ ସାଇତି ପାରିଥିବା ଏହି ବିଶିଷ୍ଟ ସମାଜସେବୀ ତଥା ପରୋପକାରୀ ମଣିଷ ରବିବାର ରାତିରେ ଶୋଇଗଲେ ଚିର ନିଦ୍ରାରେ । ଯାହାଙ୍କୁ ଭଲପାଉଥିବା ମାହାଙ୍ଗା ମାଟି କାହିଁକି, ବରଂ ଅବିଭକ୍ତ କଟକ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାନନ୍ଦ ପ୍ରେମୀ ସବୁଦିନ ପାଇଁ ଝୁରିହେବେ ।

ମାହାଙ୍ଗାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, କ୍ରୀଡା ଓ ରାଜନୀତି ସବୁ କ୍ଷେତ୍ରରେ ବୁଢାଜେନା ଜଣେ ଅଗ୍ରଣୀ ସେନାପତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯାହାଙ୍କୁ ଶ୍ରଦ୍ଧା କରୁଥିଲେ, ରାଜ୍ୟର ବହୁ ସ୍ୱାଧୀନତା ସଂଗ୍ରାମୀ, ପ୍ରତିଷ୍ଠିତ ଶିଳ୍ପୀ, ସାହିତ୍ୟିକ, କଳାକାର, ମନ୍ତ୍ରୀ ଓ ସାଂସଦଙ୍କ ଠାରୁ ଆରମ୍ଭ କରି ଶିଳ୍ପପତିଙ୍କ ପର୍ଯ୍ୟନ୍ତ, ଯାହାଙ୍କୁ ଆଦର ଓ ସମ୍ମାନ ଦେଉଥିଲେ, ସେଇ ଅହଂକାରଶୂନ୍ୟ, ଦରଦୀ ହୃଦୟର ମଣିଷଟିଏ ଆଜି ଆଉ ଆମ ଗହଣରେ ନାହାନ୍ତି ସତ, କିନ୍ତୁ ! ମାହାଙ୍ଗାର ସାମଗ୍ରିକ ବିକାଶ ଓ ଭାଇଚାରା ବଜାୟ ରଖିବା କ୍ଷେତ୍ରରେ ଶ୍ରଦ୍ଧାନନ୍ଦଙ୍କ ଯୋଗଦାନ ସ୍ମରଣୀୟ ହୋଇ ରହିଥିବ, ଏକଥାକୁ ସମସ୍ତେ ସ୍ୱୀକାର କରିଛନ୍ତି । ସରକାରୀ ଚାକିରୀ ପଛରେ ଧାଇଁବା ଅପେକ୍ଷା ‘ରୁଚି’ ଭଳି ଏକ ଅଗ୍ରଣୀ ଶିଳ୍ପ ସାମ୍ରାଜ୍ୟର ବିକାଶ ପାଇଁ ତାଙ୍କର ଦିଗଦର୍ଶନ ଓ ପରିଚାଳନା ଅବିସ୍ମରଣୀୟ । ଇଏ ହେଉଛନ୍ତି ସେହି ଶ୍ରଦ୍ଧାନନ୍ଦ, ଜୀବନରେ କାହାକୁ କେବେ ଶତ୍ରୁ ଭାବୁନଥିବା ମଣିଷ କହିଲେ ଲୋକେ ତାଙ୍କୁ ହିଁ ବୁଝନ୍ତି । ଗର୍ବ, ହିଂସା, ରାଗ-ରୋଷ ତାଙ୍କୁ ଟିକିଏବି ସ୍ପର୍ଶ କରିପାରିନଥିଲା । ଏକ ଅଭିଜାତ୍ୟ ସମ୍ପନ୍ନ, ସମ୍ଭ୍ରାନ୍ତ ପରିବାରରେ ଜନ୍ମନେଇ, ପ୍ରାଚୁର୍ଯ୍ୟ ଭିତରେ ବଢିଥିବା ଶ୍ରଦ୍ଧାନନ୍ଦଙ୍କୁ ଛୁଇଁ ପାରିନଥିଲା ଅହମିକତା । ସରଳ, ତରଳ ଓ ଉଦାରପଣ ଥିଲା ତାଙ୍କର ସବୁଠାରୁ ବଡ ସମ୍ପତ୍ତି ଓ ପରିଚୟ । ସେ ସେଇଥିପାଇଁ କେବଳ ମଣିଷକୁ ଭଲପାଉଥିଲେ । ଗାଁ’ ମାଟିକୁ ଭୁଲିପାରୁନଥିଲେ । ଯିଏ ଯେତେବେଳେ ଯୋଉ କାମରେ ବୁଢ଼ାନାଙ୍କୁ ଡାକିଛି, ସେ କାହାକୁ ମନାକରିବା କେହି ଶୁଣିନି । କାହାକୁ ଖାଲି ହାତରେ ଫେରେଇ ନଥିବା ମଣିଷ କହିଲେ ଲୋକେ ତାଙ୍କୁ ହିଁ ବୁଝନ୍ତି । ରିକ୍ସାଚଢି ହାଟ ବଜାର ବୁଲିବା ଓ ଅଭାଵୀ ଲୋକଟିକୁ ସାହାଯ୍ୟ ସହଯୋଗ କରିବା ତାଙ୍କର ନିଶା । କୁସୁପୁର ଗାଆଁର ଏହି ଯୋଗଜନ୍ମା ପୁରୁଷ ଓଡ଼ିଶାର ଗର୍ବ ।