Odia News Portal

ଚୁନା ମାଛକୁ କରାଯାଉଛି ଟାର୍ଗେଟ : ଲେଖାଶ୍ରୀ

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ୬ ଜଣ ଅଧତ୍କାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ । ସେ କହିଛନ୍ତି ଯେ, ଦୁର୍ନୀତି ବିରୋଧରେ ଲଢ଼େଇ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ତଳୁ ଉପର ଯାଏଁ ସମ୍ପତ୍ତି ତାଲିକା ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ତାଲିକା ଲୋକାୟୁକ୍ତଙ୍କୁ ଧରେଇବେ, ଲୋକାୟୁକ୍ତ ଭିଜିଲାନ୍ସକୁ ଦେବେ । ଏହା କେବଳ ଏକ ଦେଖାଣିଆ ମାତ୍ର। ଭାବମୂର୍ତ୍ତି ଦେଖାଇବା ପାଇଁ ରାଜ୍ୟ ସରକାର ଛଳନା କରୁଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି।

ତେବେ ଲେଖାଶ୍ରୀଙ୍କ କହିବା ଅନୁଯାୟୀ, ଏବେ କେବଳ ଡ୍ରାଇଭର, ଅଙ୍ଗନବାଡ଼ି ଦିଦି, ଏଏନଏମ ଦିଦି, ଜୁନିୟର ଇଞ୍ଜିନିୟର ଘରେ ଚଢ଼ାଉ କରାଯାଉଛି। କେବଳ ଚୁନା ମାଛକୁ ଟାର୍ଗେଟ କରାଯାଉଛି । ବଡ଼ ମାଛଙ୍କୁ କାହିଁକି ଧରା ଯାଉନାହିଁ ବୋଲି ଲେଖାଶ୍ରୀ ଅଭିଯୋଗ ଆଣିଛନ୍ତି । ଦୁର୍ନୀତିଗ୍ରସ୍ତ ବଡ଼ମାଛଙ୍କୁ କେବେ ଧରିବେ ସରକାର ସ୍ପଷ୍ଟ କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି।