Odia News Portal

ଋଣ ଛାଡ଼ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ସୁପ୍ରିମକୋର୍ଟ ଲୋନ ମୋରାଟୋରିୟମ ( ଋଣକିସ୍ତି ଛାଡ଼ ମହଲତ) ମାମଲାକୁ ନେଇ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ସମସ୍ତ ପ୍ରକାରର ଋଣ ଛାଡ ନକରିବାକୁ କୋର୍ଟ ପ୍ରକାଶ କରିଛନ୍ତି। ଏହି ରାୟ ଆସିବା ପରେ ବ୍ୟାଙ୍କଗୁଡ଼ିକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅନ୍ୟପଟେ ପୂରା ଋଣ ଛାଡ କରିବାକୁ କୋର୍ଟରେ ଆବେଦନ କରିଥିବା ବଡ଼ ବଡ଼ ଶିଳ୍ପପତି ଓ ରିଅଲ ଇଷ୍ଟେଟ୍ କମ୍ପାନିଗୁଡ଼ିକୁ ଶକ୍ତ ଧକ୍କା ଲାଗିଛି । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର. ଭୂଷଣ ରେଡ୍ଡୀ ଓ ଜଷ୍ଟିସ ଏମ.ଆର ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି  ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିର୍ଦ୍ଦେଶ ଦେବା ବେଳେ ଖଣ୍ଡପୀଠ କହିଛନ୍ତି କି କରୋନା ମହାମାରୀ ବେଳେ କେବଳ କମ୍ପାନି ନୁହେଁ, ସରକାର ବି ଅନେକ କ୍ଷତି ସହିଛନ୍ତି । ଏହାସହ ଅର୍ଥନୈତିକ ନୀତିକୁ ନେଇ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ । ସରକାର ଓ ଆରବିଆଇ ଉପରେ ଚାପ ପକାଇବାରେ କୋର୍ଟର କୌଣସି ଅଧିକାର ନଥିବା କଥା କୁହାଯାଇଛି । ଅନ୍ୟପଟେ ଏହି ମାମଲାରେ ସରକାରଙ୍କ ତରଫରୁ କୋର୍ଟରେ ଏକ ଉଲ୍ଲେଖନାମା ଦିଆଯାଇଛି । ଯେଉଁଥିରେ କୁହାଯାଇଛି କି ସରକାର ମହାମାରୀ ବେଳେ ବିଭିନ୍ନ ସେକ୍ଟରରେ କୋହଳ କରିଛନ୍ତି । ଆଉ ଅଧିକ କୋହଳ ସମ୍ଭବ ନୁହେଁ । କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ ମଧ୍ୟମ ସେକ୍ଟରରେ ରିହାତି ପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ ।