Odia News Portal

ଏଲପିଜିରେ ପୁଣି ମିଳିବ ଆଖି ଦୃଶିଆ ସବସିଡ

ଏଲ୍‌ପିଜି ଉପରେ କେନ୍ଦ୍ର ସରକାର ଦେଉଥିବା ସବ୍‌ସିଡି ରାଶି ନଗଣ୍ୟ ସ୍ତରକୁ ଖସିଯିବାରୁ ତାହା ଗୁରୁତ୍ବହୀନ ହୋଇପଡ଼ିଛି । ଏଭଳି ସମୟରେ ଏଲ୍‌ପିଜି ଦାମ୍ ୧୦୦୦ ଟଙ୍କା ପାଖାପାଖି ବୃଦ୍ଧି ପାଇବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ନିୟମିତ ବ୍ୟବଧାନରେ ଏଲ୍‌ପିଜି ଦାମ୍ ବୃଦ୍ଧି ପାଇବା ଓ ଲୋକମାନଙ୍କୁ ବଜାର ଦରରେ ତାହାକୁ କିଣିବାକୁ ପଡ଼ୁଥିବାରୁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ଏହାକୁ ନଜରରେ ରଖି ପୁଣି ଥରେ ଗ୍ରାହକଙ୍କୁ ଆଖିଦୃଶିଆ ସବ୍‌ସିଡି ଦେବା ବିଷୟରେ ସରକାର ବିଚାର କରୁଛନ୍ତି । ଏଥିପାଇଁ ଏକ ସର୍ଭେ ଆରମ୍ଭ କରାଯାଇଛି । ତେବେ ଗ୍ରାହକଙ୍କୁ କେତେ ଟଙ୍କାର ସବ୍‌ସିଡି ଦିଆଯିବ ତାହା ଧାର୍ଯ୍ୟ ହୋଇନାହିଁ । ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି । ସେଥିରୁ ଗୋଟିଏ ହେଉଛି ଉଜ୍ଜ୍ବଳା ଯୋଜନା ଅଧୀନରେ ଯେଉଁ ଗରିବ ଲୋକମାନଙ୍କୁ ଏଲ୍‌ପିଜି ସଂଯୋଗ ଦିଆଯାଇଛି, ଦରକାର ପଡ଼ିଲେ ସବ୍‌ସିଡି କେବଳ ସେଭଳି ଗ୍ରାହକଙ୍କ ପାଇଁ ସୀମିତ ରଖାଯିବ ।

୨୦୨୦ ମେ’ରେ ଏଲ୍‌ପିଜି ସବ୍‌ସିଡିକୁ ଏକ ପ୍ରକାର ଉଚ୍ଛେଦ କରାଯାଇଥିଲା। ସେହି ସମୟରେ ନୂଆଦିଲ୍ଲୀରେ ବିକ୍ରି ହେଉଥିବା ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୫୮୧ ଟଙ୍କା ୫୦ ପଇସା ଥିଲା। ଏହା ପରେ ବାରମ୍ବାର ଦାମ୍ ବଢ଼ିବା ଯୋଗୁଁ ସିଲିଣ୍ଡର ମୂଲ୍ୟ ୮୮୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ସିଲିଣ୍ଡର ମୂଲ୍ୟ ୯୧୧ ଟଙ୍କା ଭଳି ଉଚ୍ଚ ସ୍ତରରେ ରହିଛି। ଘରୋଇ ବ୍ୟବହାରରେ ଲାଗୁ ଥିବା ସିଲିଣ୍ଡର ଉପରେ ସବ୍‌ସିଡି ମିଳୁନାହିଁ। ତେବେ ପରିବହନ ଖର୍ଚ୍ଚ ବାବଦରେ କିଛି ସବ୍‌ସିଡି ଦିଆଯାଉଛି। ବିଭିନ୍ନ ରାଜ୍ୟରେ ସବ୍‌ସିଡି ରାଶି ଭିନ୍ନ ଭିନ୍ନ ରହିଥିବା ବେଳେ ସର୍ବାଧିକ ୩୦ ଟଙ୍କାର ସବ୍‌ସିଡି ମିଳୁଛି। ଜଣେ ଗ୍ରାହକ ସର୍ବାଧିକ କେତେ ଟଙ୍କାରେ ସହଜରେ ଏକ ସିଲିଣ୍ଡର କିଣିପାରିବେ ତାହା ଜାଣିବା ଲାଗି ସରକାର ଏକ ସର୍ଭେ କରୁଛନ୍ତି।