Odia News Portal

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମିର୍ଚି ବାବା ଗିରଫ

୨୦୧୯ ଲୋକସଭା ନିର୍ବାଚନରେ ଦିଗ୍‌ବିଜୟ ସିଂଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାକୁ ଆସିଥିବା ବୈରାଜ୍ଞାନନ୍ଦ ଗିରି ଓରଫ୍‌ ମିର୍ଚି ବାବାଙ୍କୁ ଭୋପାଳ ମହିଳା ପୋଲିସ ଗିରଫ କରିଛି। ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ମିର୍ଚି ବାବାଙ୍କ ନାଁରେ ଅଭିଯୋଗ ହୋଇଥିଲା। ପୀଡ଼ିତା ମହିଳାଙ୍କ ଅଭିଯୋଗ ମୁତାବକ, ବାହାଘରକୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନସନ୍ତତି ହେଉ ନ ଥିଲେ, ଯେଉଁ କାରଣରୁ ସେ ବାବାଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ବାବା ଏହାର ଫାଇଦା ଉଠାଇ ତାଙ୍କୁ ଦୁଷ୍କର୍ମ କରିଥିଲେ।

ଏପରି କି, ବାବା ଘଟଣା ସମ୍ପର୍କରେ କାହାରିକୁ ନ କହିବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଥିଲା। ପୀଡ଼ିତାଙ୍କ ବୟାନ ଆଧାରରେ ମିର୍ଚି ବାବାଙ୍କ ବିରୋଧରେ ଧାରା ୩୭୬, ୫୦୬ ଓ ୩୪୨ ଅଧୀନରେ ମାମଲା ରୁଜୁ କରାଯାଇଛି। କୋର୍ଟ ମିର୍ଚି ବାବାଙ୍କୁ ୧୪ ଦିନିଆ ନ୍ୟାୟିକା ହେପାଜତରେ ପଠାଇ ଦେଇଛନ୍ତି।

ପୀଡ଼ିତା ନିଜ ଅଭିଯୋଗରେ ପୋଲିସକୁ କହିଛନ୍ତି ଯେ ତାଙ୍କ ବିବାହକୁ ୪ ବର୍ଷ ବିତି ଗଲାଣି, ହେଲେ କେହି ପିଲାପିଲି ନାହାନ୍ତି। ଏଥିପାଇଁ ସେ ମିର୍ଚି ବାବାଙ୍କ ସମ୍ପର୍କରେ ଆସିଥିଲେ। ତାଙ୍କୁ ଯୋଗାଯୋଗ କରିଥିଲେ। ବାବା ପୂଜାପାଠ କରି ସନ୍ତାନ ହେବାର ପ୍ରତିଶ୍ରୁତି ଦେଇଥିଲେ। ମହିଳାଙ୍କୁ ଡକାଇ ଚିକିତ୍ସା ନାଁରେ ତାଙ୍କୁ ନିଶା ବଟିକା ଖୁଆଇ ଦୁଷ୍କର୍ମ କରିଥିଲେ। ଘଟଣା ଚଳିତବର୍ଷ ଜୁଲାଇର। ବିରୋଧ କରିବାରୁ ବାବା ତାଙ୍କୁ କହିଥିଲେ କି, ‘ପିଲା ଏମିତି ହିଁ ହୋଇଥାଏ’।

ଏହାପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମିର୍ଚି ବାବାଙ୍କୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। କହି ରଖୁଛୁ, ଏମ୍‌ପିର କମଲନାଥ ସରକାରରେ ବାବାଙ୍କୁ ରାଜ୍ୟମନ୍ତ୍ରୀର ମାନ୍ୟତା ମିଳିଥିଲା।