Odia News Portal

ଅନିଲ କୁମ୍ବଲେ ପୁଣି ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ଅନୀଲ କୁମ୍ବଲେ ପୁଣି ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଟି୨୦ ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଛି। ତା’ପରେ ଅନୀଲ କୁମ୍ବଲେଙ୍କୁ ବିସିସିଆଇ ମୁଖ୍ୟ କୋଚ୍ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବିସିସିଆଇ ଅନୀଲଙ୍କୁ ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନ କରିବା ପାଇଁ କହିପାରେ। ୨୦୧୬-୧୭ରେ ବର୍ଷେ ପାଇଁ ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଥିଲେ। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ ତତ୍‌କାଳୀନ କ୍ରିକେଟ୍ ପରାମର୍ଶଦାତା କମିଟି ତାଙ୍କୁ ଏହି ନିଯୁକ୍ତି ଦେଇଥିଲା। ତେବେ ଅଧିନାୟକ ବିରାଟ କୋହଲିଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା। ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ ଦଳ ହାରିବା ପରେ ଅନୀଲ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ।