Odia News Portal

୧୩ରେ ଉନ୍ମୋଚିତ ହେବ ନୂଆ ଭାରତୀୟ ଜର୍ସି

ମୁମ୍ବାଇ : ଆଗାମୀ ଟି-୨୦ ବିଶ୍ବକପ୍ରେ ଭାରତୀୟ ଦଳ ନୂଆ ଜର୍ସି ପରିଧାନ କରିବ। ଚଳିତ ମାସ ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ମିଳିତ ଭାବେ ଆୟୋଜିତ ହେବାକୁ ଯାଉଥିବା ଏହି ବିଶ୍ବକପ୍ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଆସନ୍ତା ୧୩ ତାରିଖରେ ଉନ୍ମୋଚିତ ହେବ ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଶୁକ୍ରବାର ଘୋଷଣା କରିଛି। ଏହି ମୁହୂର୍ତ୍ତକୁ ଆମେ ସମସ୍ତେ ଅପେକ୍ଷା କରିଛୁ। ଅକ୍ଟୋବର ୧୩ ତାରିଖରେ ଆଥ୍ଲେସିଓର ବ୍ରାଣ୍ଡ୍ ଏମ୍ପିଏଲ୍ ସ୍ପୋର୍ଟସ ଦ୍ବାରା ଏହି ଜର୍ସି ଉନ୍ମୋଚିତ ହେବ। ଏମ୍ପିଏଲ୍ ଭାରତୀୟ କ୍ରିକେଟ୍ ଦଳର ଅଫିସିଆଲ କିଟ୍ ପ୍ରାୟୋଜକ ଭାବେ ୨୦୨୩ ଡିସେମ୍ବର ପର୍ୟ୍ୟନ୍ତ ରହିଛି। ନେଭି ବ୍ଲୁ ରିଟ୍ରୋ ଜର୍ସି ବଦଳରେ ପ୍ରସ୍ତୁତ ନୂଆ ଜର୍ସି ନୀଳ, ସବୁଜ, ଧଳା ଓ ନାଲି ଷ୍ଟ୍ରିପ୍ର ରହିବ। ଏହା ୧୯୯୨ ବିଶ୍ବକପ୍ କିଟ୍ର ପ୍ରେରଣା ହେବ। ଅନ୍ୟପକ୍ଷରେ ଭାରତୀୟ ଦଳର ଇତିହାସରେ ପ୍ରଥମ ଥର ପାଇଁ ପ୍ରଶଂସକମାନେ ସୁଲଭ ମୂଲ୍ୟରେ ଏହି ଅଫିସିଆଲ ଜର୍ସିକୁ ନିଜ ପାଖରେ ରଖିପାରିବେ ବୋଲି ଏମ୍ପିଏଲ୍ ସ୍ପୋର୍ଟସ ମୁଖ୍ୟ ଶୋଭିତ ଗୁପ୍ତା କହିଛନ୍ତି। ଏଥିପାଇଁ ଶୁକ୍ରବାରଠାରୁ ଜର୍ସି ବୁକିଂ କରିବା ପାଇଁ ଏମ୍ପିଏଲ୍ ପକ୍ଷରୁ ପ୍ରଶଂସକମାନଙ୍କ ପାଇଁ ତିନିଟି ବିକଳ୍ପ ଆରମ୍ଭ କରାଯାଇଛି। ଏଥିରେ ପ୍ରଶଂସକ ଜର୍ସି, ଖେଳାଳିଙ୍କ ଜର୍ସି ଏବଂ ବିରାଟ କୋହଲିଙ୍କ ଦସ୍ତଖତ ସମ୍ବଳିତ ୧୮ ନମ୍ବର ଜର୍ସିର ମୂଲ୍ୟ ୧୭୯୯ ଟଙ୍କାରୁ ଆରମ୍ଭ ବୋଲି ଏମ୍ପିଏଲ୍ କହିଛି।