Odia News Portal

ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷ ଭେଟି

ଭୁବନେଶ୍ୱର,୩୦ା୧୨(): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦୁଇଟି ଫ୍ଲାଗ୍ସିପ୍ ଯୋଜନାର ଶୁଭାରମ୍ଭ କରିବେ । ଆସନ୍ତାକାଲି ସଂଧ୍ୟାରେ ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ  ‘କାଳିଆ’ ଯୋଜନାର ଶୁଭାରମ୍ଭ ହେବ । ଏଥିସହ କ୍ୟାପିଟାଲ୍ ହସ୍ପିଟାଲରୁ ରାତ୍ରିକାଳୀନ ଆହାର ଭୋଜନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ ।
ନିକଟରେ  ରାଜ୍ୟର ଚାଷୀଙ୍କୁ ଦୀର୍ଘମିଆଦୀ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ କାଳିଆ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହି ଯୋଜନାର ୫ ଟି ଶ୍ରେଣୀରେ ବିଭିନ୍ନ ବର୍ଗର ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ତାଲିମ୍ ଓ ସୁଧ ବିହୀନ ଋଣ ଯୋଗାଇ ଦିଆଯିବ । ଏହି ଯୋଜନାରେ ବାର୍ଷିକ ୧୦ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିରେ ରାଜ୍ୟର ପ୍ରାୟ ୩୬ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଉପକୃତ ହେବେ ।
ସେହିଭଳି ନିକଟରେ ରାତ୍ରିକାଳୀନ ଆହାର ଭୋଜନ କାର୍ଯ୍ୟକ୍ରମର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୫ ଟଙ୍କାରେ ମିଳୁଥିବା ମଧ୍ୟାହ୍ନଭୋଜନର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରଗୁଡିକରେ ରାତ୍ରିଭୋଜନ ଦେବାକୁ ଘୋଷଣା କରାଯାଇଥିଲା । ଆସନ୍ତାକାଲି ରାଜ୍ୟର ବିଭିନ୍ନ ଡାକ୍ତରଖାନା ପରିସରରେ ଥିବା ୫୬ଟି ଆହାର କେନ୍ଦ୍ରରେ ରାତ୍ରିଭୋଜନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।