Odia News Portal

୬୮ ଜଣଙ୍କୁ ଫେକ୍ ଅଫର ଲେଟର

ବ୍ରହ୍ମପୁର() ବ୍ରହ୍ମପୁର ଟାଟା ପ୍ରକଳ୍ପରେ ଚାକିରି ନେଇ ନକଲି ନିଯୁକ୍ତିପତ୍ର ପ୍ରଦାନ ଘଟଣାରେ ତଦନ୍ତ କରୁଛି କ୍ରାଇବ୍ରାଞ୍ଚ । ଏନେଇ ଆଜି ଗଞ୍ଜାମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ୨ ଇନ୍ସପେକ୍ଟର ପହଞ୍ଚି ନକଲି ନିଯୁକ୍ତିପତ୍ର ନେଇ ଖୋଳତାଡ କରୁଛନ୍ତି । ନକଲି ନିଯୁକ୍ତିପତ୍ର ପାଇଥିବା କିଛି ଆବେଦନକାରୀଙ୍କୁ କାଲି ଗୋପାଳପୁର ଥାନାରେ ପଚରାଉଚରା କରାଯାଇଛି । ନିଲମ୍ବିତ ଆଇଏଫଏସ ଅଭୟକାନ୍ତଙ୍କ ପୁଅ ନିଯୁକ୍ତିପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । ଏଣେ ଏହି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତିକୁ ନେଇ କଂଗ୍ରେସ ତାଙ୍କ ଗିରଫଦାରୀ ଦାବି କରିଛି । କଂଗ୍ରେସ ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି ।

ଏତଲାରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୬୮ ଜଣ ବେକାର ଯୁବକଙ୍କ ସହ ଆକାଶ ବଡ ଧରଣର ଠକେଇ କରିଛନ୍ତି । ସେମାନଙ୍କୁ ବାର୍ଷିକ ୬ ଲକ୍ଷ ଟଙ୍କାର ଦରମା ଲୋଭ ଦେଖାଇ ଠକା ଯାଇଛି । ଏହି ଠକେଇରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ,ତାଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ଓ ସୂର୍ୟ୍ୟକାନ୍ତ ସାହୁ ନାମକ ବ୍ୟକ୍ତି ସାମିଲ ଥିବା ଅଭିଯୋଗ ହୋଇଛି । ସମସ୍ତଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ଦାବି କରିଛି ।ଏନେଇ ଗୋପାଳପୁର ଥାନା ଆଗରେ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ ।

ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ପାଖରେ ଦାଖଲ ଏତଲାକୁ ଭିତ୍ତିକରି ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ୬୦ରୁ ଅଧିକ ଲୋକଙ୍କୁ ଆକାଶ ପାଠକ କିଭଳି ଠକିଛନ୍ତି ତାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ଟିମ ବ୍ରହ୍ମପୁରରେ ପହଞ୍ଚି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଅଫିସରେ କିଛି ଅଧିକାରୀଙ୍କୁ ନେଇ ଗୋପନ ବୈଠକ କରିଥିଲା । ଏହାପରେ ଟାଟା ଥଇଥାନ କଲୋନୀର କିଛି ଲୋକଙ୍କୁ ଡାକି ପଚରାଉଚରା ବି କରିଥିଲା । ତେବେ ଟାଟା ଗ୍ରୁପର ଏତଲା ମୁତାବକ, ଆକାଶ ପାଠକ ନିଜକୁ ପୁଣେ ପାସେଞ୍ଜର ଡିଭିଜନର ଏମଡିଭାବେ ଦର୍ଶାଇ ଟାଟାର ଫେକ୍ ଲେଟର ହେଡ୍ ଓ ଷ୍ଟାମ୍ପ ବ୍ୟବହାର କରିଥିଲେ । କେବଳ ସେତିକି ନୁହେଁ ଆକାଶ ଏହାକୁ ବ୍ୟବହାର କରି ମିଛ ଫଏଲ୍ ନମ୍ବର ଓ ତାରିଫ ପକାଇ ୬୮ ଜଣ ଲୋକଙ୍କୁ ଅଫର ଲେଟର ଦେଇଛନ୍ତି । ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି, ମ୍ୟାନେଜମେଣ୍ଟ ଟ୍ରେନି, ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ଦିଆଯାଇଛି ପୋଷ୍ଟିଂ । ଏପ୍ରିଲ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ବିଭିନ୍ନ ଲୋକଙ୍କୁ ଦିଆଯାଇଛି ଅଫର ଲେଟର । ଏସବୁ ପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆକାଶଙ୍କୁ ସବୁ ସମୟରେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଜାଲିଆତି କଲେ ମଧ୍ୟ ଥାନାରେ ଏତଲା ହେଉନଥିବା କୁହାଯାଉଛି ।