Odia News Portal

ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଇଂଲଣ୍ଡ

ଆବୁଧାବି: ଚଳିତ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବୁଧବାର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଖେଳାଯିବ। ୨୦୧୬ ବିଶ୍ବ ‌ଟି-୨୦ ସେମିଫାଇନାଲ୍, ୨୦୧୯ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ ପରେ ଏବେ ୨୦୨୧ ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌। ବିଶ୍ବକପ୍‌ର ଶେଷ ଦୁଇଟି ନକ୍ ଆଉଟ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌କୁ ଇଂଲଣ୍ଡ ନିକଟରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥର ସେହି ଧାରା ଭାଙ୍ଗିବ ବୋଲି ଆଶା ରଖିଛି। ଇଂଲଣ୍ଡ କିନ୍ତୁ କ୍ରମେ ଶକ୍ତିରୁ ଶକ୍ତିଶାଳୀ ହେବାରେ ଲାଗିଛି। ଅବଶ୍ୟ ପ୍ରାରମ୍ଭିକ ବ୍ୟାଟର୍‌ ଜାସନ୍ ରୟ ଏବଂ ଦ୍ରୁତ ବୋଲର ଟାଇମଲ୍ ମିଲ୍ସ ଆହତ ଜନିତ ସମସ୍ୟା କାରଣରୁ ବାଦ୍ ପଡ଼ିବାରୁ ଇଂଲଣ୍ଡ ସାମାନ୍ୟ ଚିନ୍ତାରେ ପଡ଼ିଛି। ତଥାପି ଜାସନ ରୟଙ୍କ ସ୍ଥାନରେ ଜେମ୍‌ସ ଭିନ୍‌ସେ ସ୍ଥାନ ପାଇଥିବାରୁ କିଛିଟା ଆଶ୍ବସ୍ତ ହୋଇଛି।

ଚଳିତ ବିଶ୍ବକପ୍‌ରେ ଇଂଲଣ୍ଡର ମଧ୍ୟକ୍ରମ ଅଣପରୀକ୍ଷିତ ରହିଛି। ମାତ୍ର ୩ ଜଣ ବ୍ୟାଟର୍‌ ୬୦ରୁ ଊର୍ଧ୍ବ ବଲ୍ ଖେଳିଛନ୍ତି‌। ସେମାନଙ୍କ ମଧ୍ୟରୁ ଜାସନ୍ ରୟ ବାଦ୍ ପଡ଼ିଛନ୍ତି। ନ୍ୟୁଜିଲାଣ୍ଡ୍‌ ବୋଲରମାନେ ଏଥିରୁ ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି। ୟୁଏଇ‌ ପରିବେଶରେ ବେଶ କିଛି ଦିନ ଖେଳି ଆସୁଥିବା ମୋଇନ୍ ଅଲୀ ଇଂଲଣ୍ଡର ଭରସା ରହିବେ। ସ୍ପିନରଙ୍କ ବିପକ୍ଷରେ ସେ ଭଲ ଖେଳୁଥିବାରୁ ଈଶ ସୋଢ଼ି ଏବଂ ମିଚେଲ୍ ସାଣ୍ଟନର୍‌ଙ୍କୁ ଟାର୍ଗେଟ୍ କରିପାରନ୍ତି। ଦାୱିଦ ମଲାନ ମନ୍ଥର ଆରମ୍ଭ କରୁଥିଲେ ମଧ୍ୟ ଇଂଲଣ୍ଡ ତାଙ୍କଠାରୁ ଏକ ବଡ଼ ପାଳି ଆଶା ରଖିଛି। ଟାଇମଲ୍ ମିଲ୍ସ ଆହତ ଥିବାରୁ ଇଂଲଣ୍ଡ ଡେଥ୍‌ ବୋଲିଂ ଦୁର୍ବଳତାରୁ ମଧ୍ୟ ନ୍ୟୁଜିଲାଣ୍ଡ୍‌ ଫାଇଦା ଉଠାଇବା ବିଶ୍ବାସ କରାଯାଉଛି। ପାୱାର୍‌ ପ୍ଲେ ଭିତରେ ଇଂଲଣ୍ଡ ଚଳିତ ବିଶ୍ବକପ୍‌ରେ ସର୍ବାଧିକ ୮.୩୩ ହାରରେ ବ୍ୟାଟିଂ କରିଛି। କିନ୍ତୁ ଆବୁଧାବିରେ ଇଂଲଣ୍ଡ ପ୍ରଥମ ଥର ଖେଳିବାକୁ ଯାଉଥିବାରୁ ସିମରଙ୍କୁ ସୁହାଉଥିବାରୁ ଏହି ସମୟରେ ଦଳର ବୋଲରମା‌ନେ ପ୍ରଭାବ ପକାଇବେ ବୋଲି ବିଶ୍ବାସ କରାଯାଉଛି। ନ୍ୟୁଜିଲାଣ୍ଡ ମଧ୍ୟ ନିଜର ଶେଷ ମ୍ୟାଚ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଏହିଠାରେ ଖେଳିଥିବାରୁ ଅଭ୍ୟସ୍ତ ହୋଇଛି। ଇଂଲଣ୍ଡର ପଞ୍ଚମ ବୋଲର ଦୁର୍ବଳତାରୁ ନ୍ୟୁଜିଲାଣ୍ଡ୍‌ ବ୍ୟାଟର୍‌ ମଧ୍ୟ ଟାର୍ଗେଟ୍ କରିପାରନ୍ତି।