Odia News Portal

ନବୀନଙ୍କ ଉଦବେଗକୁ ଗୁରୁତ୍ବ ଦେଲେନି, ଏବେ ଏହି ରିପୋର୍ଟ ଦେଖ

ଓଡିଶା ପ୍ରଦୂଷଣର ହଟସ୍ପଟ ତାଲିକାରେ

ଭୁବନେଶ୍ବର () ବ୍ୟାପକ ଖଣି ଉତ୍ତୋଳନ ଓ କୋଇଲା ଇନ୍ଧନ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଛି । ଓଡିଶା ସେ ମଧ୍ୟରୁ ଅନ୍ୟତମ । ଏହିଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଖଣି ଉତ୍ତୋଳନକାରୀ ରାଜ୍ୟମାନଙ୍କୁ ସବୁଜ ଟିକସ ପ୍ରଦାନ କରିବାକୁ ଦାବି କରୁଥିଲେ । କେନ୍ଦ୍ର ସରକାର କିନ୍ତୁ ରାଜ୍ୟର ଏହି ଦାବିକୁ ଅଗ୍ରାହ୍ୟ କରିଦେଇଛି । ହେଲେ ନବୀନଙ୍କ ଆକଳନ ସତ ହୋଇଛି । କାରଣ ନିକଟରେ ଗ୍ରୀନପିସ ନାମକ ଏକ ସଂଗଠନ ପକ୍ଷରୁ ପରିବେଶ ପ୍ରଦୂଷଣ ସଂପର୍କରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ନାଇଟ୍ରୋଜେନ ଡାଇଅକ୍ସାଇଡ ଯୋଗୁଁ ପୃଥିବୀର 6ଟି ମହାଦେଶର 50ଟି ହଟସ୍ପଟ ମଧ୍ୟରେ ରହିଛି ଓଡିଶାର ତାଳଚେର ଅଂଚଳ ।

ଭାରତର ଦିଲ୍ଲୀ, ଉତ୍ତର ପ୍ରଦେଶର ସୋନଭଦ୍ରା, ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଏବଂ ଓଡିଶାର ତାଳଚେରକୁ ହଟସ୍ପଟ ପ୍ରଦୂଷିତ ଅଚଂଳ ଭାବେ ଚିହ୍ନଟ କରାଯାଇଛି । କୋଇଲାରୁ ଉତ୍ପାଦିତ ବିଦ୍ୟୁତ ପ୍ରକଳ୍ପ ପାଇଁ ତାଳଚେର, ସୋନଭଦ୍ରା ଓ ସିଙ୍ଗ୍ରାଉଲିକୁ ଚିହ୍ନଟ କରାଯାଇଥିବା ବେଳେ ପରିବହନ ଜନିତ ପ୍ରଦୂଷଣ ପାଇଁ ଦିଲ୍ଲୀକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି ।

ସାଟେଲାଇଟ ମ୍ୟାପ ଉପରେ ଆଧାରିତ ଏହି ରିପୋର୍ଟରେ କୁହାଯାଇଛି ଯେ, ନାଟ୍ରୋଜେନ ଡାଇଅକ୍ସାଇଡ ହେଉଛି ସବୁଠାରୁ ମାରାତ୍ମକ ପ୍ରଦୂଷଣକାରୀ  । ଦୈନିକ ଏହି ଗ୍ୟାସର ପ୍ରଭାବରେ ୟୁରୋପରେ ବାର୍ଷିକ 75ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ଚୀନରେ ମଧ୍ୟ ଏହି ଗ୍ୟାସ ପ୍ରଭାବରେ ବହୁ ସଂଖ୍ୟାରେ ଲୋକ ଶ୍ବାସ ପ୍ରଶ୍ବାସ ସଂପର୍କିତ ଏବଂ ହୃତପିଣ୍ଡ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ଏହି ଗ୍ୟାସ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ମୁଖ୍ୟତଃ ଶ୍ବାସ ପ୍ରଶ୍ବାସ ସମ୍ବନ୍ଧୀୟ ଏବଂ ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ୟୁରୋପିଆନ ସ୍ପେସ ଏଜେନ୍ସିର ସଟେଲାଇଟ ନାଇଟ୍ରୋଜେନ ଡାଇଅକ୍ସାଇଡ ସଂପର୍କିତ ତଥ୍ୟ ପ୍ରଦାନ କରୁଛି । ଏହି ସାଟେଲାଇଟ ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ଉପରେ ଗତିକରି ମଧ୍ୟାହ୍ନ ସମୟରେ ବାୟୁମଣ୍ଡଳରେ ନାଇଟ୍ରୋଜେନ ଡାଇଅକ୍ସାଇଡର ମାତ୍ରା ଆକଳନ କରି ରିପୋର୍ଟ ପ୍ରଦାନ କରୁଛି । ଗ୍ରୀନପିସର ଏହି ରିପୋଟ ଜୁନ 1ରୁ ଅଗଷ୍ଟ 31 ମଧ୍ୟରେ ତଥ୍ୟ ଉପରେ ଆଧାରିତ ।

କୋଇଲା, ଗ୍ୟାସ କିମ୍ବା ବାଓମାସ ଅତିମାତ୍ରାରେ ଜଳିରେ ତାହା ନାଇଟ୍ରୋଜେନ ଡାଇଅକ୍ସାଇଡ ସୃଷ୍ଟି କରିଥାଏ । ତେଣୁ ଏହି ରିପୋର୍ଟ ଅନୁଯାୟୀ ବିଶ୍ବର 95 ପ୍ରତିଶତ ଲୋକ ନିଜ ପ୍ରଶ୍ବାସରେ ଅସୁରକ୍ଷିତ ବାୟୁ ଗ୍ରହଣ କରୁଛନ୍ତି । ତେଣୁ ଚିହ୍ନଟ ହୋଇଥିବା ହଟସ୍ପଟ ଦେଶ ଓ ରାଜ୍ୟର ସରକାରମାନେ ଏଦିଗରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି ।

ଏହି ରିପୋର୍ଟ ଅନୁୟାୟୀ ଭାରତ, ଦକ୍ଷୀଣ ଆଫ୍ରିକା ଓ ଜର୍ମାନୀର କୋଇଲା ଇନ୍ଧନ ଭାବେ ବ୍ୟବହୃତ ହେଉଥିବା ପାୱାର ପ୍ଲାଣ୍ଟ ଅଞ୍ଚଳଗୁଡିକ ସର୍ବାଧିକ ପ୍ରଦୂଷଣକାରୀ ଅଂଚଳ । ଚୀନର 10ଟି ବିଦ୍ୟୁତ ପ୍ରକଳ୍ପ ଓ ଶିଳ୍ପ କ୍ଲଷ୍ଟର ଅଞ୍ଚଳ ଏବଂ ଦିଲ୍ଲୀ ସମେତ 14ଟି ବହୁତ ସହରରେ ଜାନବାହାନ ଚଳାଚଳ ଜନିତ ପ୍ରଦୂଷଣ ସର୍ବାଧିକ । ସର୍ବାଧିକ ପ୍ରଦୂଷଣକାରୀ ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ଅଂଚଳଗୁଡିକ ମଧ୍ୟରେ ରହିଛି 19ଟି ତୈଳ ଏବଂ କୋଇଲାରୁ ବିଦ୍ୟୁତ ଉତ୍ପାଦନକାରୀ ପ୍ଲାଣ୍ଟ ଅଂଚଳ, 14ଟି ଉତ୍ପାଦନଶିଳ୍ପ ଅଂଚଳ ଓ 14ଟି ପରିବହନ ଜନିତ ପ୍ରଦୂଷଣ ଅଞ୍ଚଳ ।