Odia News Portal

ବଜେଟ୍ ପୂର୍ବରୁ ୩ ରାଜନୈତିକ ଦଳର ରଣନୀତି ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବିଧାନସଭାରେ ଆରମ୍ଭ ହେବାକୁ ଯାଉଛି ବଜେଟ୍ ଅଧିବେଶନ |ଏଥିପାଇଁ ୩ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ |ଆଜି ଅପରାହ୍ନ ସାଢେ ୫ଟାରେ ବିଜେଡି ବିଧାୟକଙ୍କ ଦ୍ୱାରା ଦଳୀୟ ବୈଠକ ବସିବ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିରୋଧୀ ଦଳ ବୈଠକ ବସିବ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସ ଭବନରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ସେହିଭଳି ବଜେଟ୍ ଅଧିବେଶନକୁ ନେଇ କଂଗ୍ରେସ ବିଧାୟକ ଦଳ ମଧ୍ୟ ବୈଠକର ଆୟୋଜନ କରିଛନ୍ତି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ।

ସେହିଭଳି ଆସନ୍ତାକାଲି ଠାରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ | ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ତେବେ ଏହି ଆଲୋଚନାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଅଛନ୍ତି ।

୧୮ ତାରିଖ ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ, ୨ଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୮ରୁ ଆରମ୍ଭ ହୋଇ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ ରୁ ଆରମ୍ଭ ହୋଇ ୩୧ ତାରିଖରେ ଶେଷ କରାଯିବ ।ସେହିଭଳି ଫେବୃଆରୀ ୨୨ ତାରିଖରେ ବଜେଟ୍ ଆଗତ ହେବ । ତେବେ ବଜେଟ୍ ଅଧିବେଶନ କାଳରେ ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ ।