Odia News Portal

ବିଜେପିକୁ ପିସିସି ସଭାପତିଙ୍କ ଟାର୍ଗେଟ

କେନ୍ଦୁଝର: ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି । ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି । ଏନେଇ ନିରଞ୍ଜନ ଟୁଇଟ ମଧ୍ୟ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଆକ୍ରମଣ କରାଯାଇଥିବା ପିସିସି ସଭାପତି କହିଛନ୍ତି ।

ବିଜେପି ପାଇଁ କଂଗ୍ରେସ ଏବେ ସବୁଠୁ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଏମିତି କାଣ୍ଡ କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି ନିରଞ୍ଜନ । ସେ କହିଛନ୍ତି, ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କୁ ପ୍ରଶ୍ନ କରିଛନ୍ତି ନିରଞ୍ଜନ। ତାଙ୍କ ଦଳ ଏଭଳି କାହିଁକି ଭୀରୁ ଭଳି ବ୍ୟବହାର କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ କଂଗ୍ରେସ ଆପଣଙ୍କ ଦଳ ପାଇଁ କିଭଳି ଭୟର କାରଣ ସାଜିଛି ତାହା ବୁଝିପାରୁଥିବା କହିଛନ୍ତି ନିରଞ୍ଜନ । ଯଦି ମୋ ସହ ଏଭଳି ହେଲା, ଆମ ମା, ଝିଅମାନେ କେତେ ସୁରକ୍ଷିତ? ବୋଲି ପଚାରିଛନ୍ତି ପିସିସି ସଭାପତି । ବିଜେପିର ଭୁଲ ନୀତି ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରିବାରୁ ଏଭଳି ଆକ୍ରମଣ କରାଯାଇଥିବା ନିରଞ୍ଜନ କହିଛନ୍ତି ।

ଆକ୍ରମଣ ଘଟଣାରେ ଜଣକୁ ଅଟକ ରଖିଛି ପୋଲିସ ।ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ମହାନ୍ତିକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । କେନ୍ଦୁଝର ଟାଉନ ଥାନା ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗତକାଲି କାଶୀପୁର ନିକଟରେ ପିିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା ।ଏନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା ।

ଅନ୍ୟପକ୍ଷେ, ପିସିସି ସଭାପତିଙ୍କ ଗାଡ଼ିକୁ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ସନ୍ଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି । କାର୍ଯ୍ୟାନୁଷ୍ଠାନ ନିଆନଗଲେ ଉଭୟ ବିଜେପି ଓ ବିଜେଡି ସଭାପତିଙ୍କ ଗାଡ଼ି ଅଟକାଇବ ବୋଲି କହିଛି କଂଗ୍ରେସ । ସେପଟେ ଏହି ଘଟଣା ନେଇ ଡିଜିପିଙ୍କ ଉଦ୍ଦେଶ୍ୟରେ ଡିସିପିଙ୍କୁ ସ୍ମାରକପତ୍ର ଦେଇଛି କଂଗ୍ରେସ ଦଳ।