Odia News Portal

ଜେଲ୍ ଗଲେ ପୂର୍ବତନ ବିଧାୟକ

ଜାମିନ ନାମଞ୍ଜୁର ହେବାରୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ଗଲେ ବିଧାୟକ ଏବଂ ସହଯୋଗୀ

ଫୁଲବାଣୀ: ଜେଲ୍ ଗଲେ ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ । ଫୁଲବାଣୀ ଟାଉନ ଥାନା ପୋଲିସ ଦେବେନ୍ଦ୍ର କହଁରଙ୍କୁ ଗିରଫ କରିବା ପରେ ଜେଲ ପଠାଇଛି । ସୂଚନା ଅନୁଯାୟୀ, ଫୁଲବାଣୀ ସ୍ଥିତ ଏଫ୍‌ସିଆଇ ଛକରୁ ବିଧାୟକଙ୍କୁ ଗିରଫ କରିଥିଲା ପୋଲିସ । ଜଣେ ବ୍ୟକ୍ତିଙ୍କୁ ମାଡ଼ମାରି ଟଙ୍କା ଲୁଟ୍ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା |

ଜାମିନ ନାମଞ୍ଜୁର ହେବାରୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ଗଲେ ବିଧାୟକ ଏବଂ ତାଙ୍କ ସହଯୋଗୀ | ଗିରଫ ସହଯୋଗୀ ଜଣଙ୍କ IRBNର ହାବିଲଦାର ଶ୍ରୀନିବାସ କହଁର | ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ ୧୧ ତାରିଖରେ ଏକ କଡାୟତି ହୋଇଥିଲା । ଏ ନେଇ ଫୁଲବାଣୀ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଫୁଲବାଣୀ ଟାଉନ୍ ପୋଲିସ ତାଙ୍କୁ ଗିରଫ କରିଥିଲା ।

ବିଧାୟକଙ୍କ ବିରୋଧରେ ଧାରା ୧୭୦, ୪୧୭, ୪୧୯,୩୮୪, ୩୯୫ (IPC) ଦଫା ଲାଗିଛି। ପୂର୍ବରୁ ମଧ୍ୟ ଦେବେନ୍ଦ୍ରଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି। ପୂର୍ବରୁ ଅନ୍ଧ୍ରପ୍ରଦେଶର ଇଛାପୁରମରୁ ତାଙ୍କୁ ଗିରଫ କରିଥିଲା ପୋଲିସ। ଏପରି କି ଶ୍ରୀ କହଁରଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ସହ ଜଣେ ଆଦିବାସୀ ମହିଳାଙ୍କ ଘରେ ପଶି ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ତାଙ୍କୁ ପୋଲିସ ମଧ୍ୟ ଗିରଫ କରିଥିଲା।