Odia News Portal

ପିପିଲି ଦାଣ୍ଡରେ ନେତାଙ୍କ ଗହଳି

ପ୍ରତିଶ୍ରୁତିର ପାହାଡ ଆଗରେ ଅନୁକମ୍ପାର ସମୁଦ୍ର

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ସରିଲା । ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ଅଜିତ ମଙ୍ଗରାଜ ଓ ସିପିଆଇଏମଏଲରୁ ଅଶୋକ ପ୍ରଧାନ ନାମାଙ୍କନ ଭରିଛନ୍ତି । ମଇଦାନରେ ଏବେ ୪ ପ୍ରାର୍ଥୀ । ତିନିଜଣ ଅଭିଜ୍ଞ ବିରୋଧୀ ପ୍ରାର୍ଥୀଙ୍କ ବିପକ୍ଷରେ ବିଜେଡି ନବାଗତ ରୁଦ୍ରଙ୍କୁ ପ୍ରାର୍ଥୀ କରି ରିସ୍କ ନେଇଛି । ତଥାପି ଅନୁକମ୍ପା ଓ ବିଜେଡି ସରକାରର ବିକାଶର ମୁଦ୍ଦା ପିପିଲି ମୁକୁଟ ପିନ୍ଧାଇବ ବୋଲି ଦଳ ନେତାଏ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଗତ ୩୫ ବର୍ଷ ଧରି ପିପିଲିରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତିଆରା ଥିଲା । ୧୯୮୫ରେ ରାଜନୀତିକୁ ଆସି ପ୍ରଥମ ନିର୍ବାଚନର ବିଜୟୀ ହେବା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାତ୍ର ଥରୁଟିଏ ସେ ପରାସ୍ତ ହୋଇଥିଲେ । ତେଣୁ ତାଙ୍କ ଅଭେଦ୍ୟ ଗଡରେ ବିରୋଧୀ ଶକ୍ତିକୁ ଧରାଶାୟୀ କରିବାକୁ ସେ ସବୁବେଳେ ରଣନୀତି ପ୍ରସ୍ତୁତ କରୁଥିଲେ । ହେଲେ ଗଲାଥର ବିଜେପିର ବର୍ଦ୍ଧିତ ଭୋଟ ସାଙ୍ଗକୁ ପ୍ରଦୀପ ମହାରଥୀ ପରଲୋକରେ । ତେଣୁ ଉପନିର୍ବାଚନରେ ସମୀକରଣ କେମିତି ହେବ ସେଇ ଚିନ୍ତାରେ ବୁଡିଛି ବିଜେଡି ।

ଅବଶ୍ୟ ୩୦ଜଣ ପାଖାପାଖି ମନ୍ତ୍ରୀ, ବିଧାୟକ ଓ ପୁରୁଖା ଛାମୁଆ ନେତାଙ୍କୁ ପିପିଲି-ଡେଲାଙ୍ଗ ମୋର୍ଚ୍ଚା ସମ୍ଭାଳିବାକୁ ଫିଲ୍ଡକୁ ଛାଡିଛି ଦଳ । ଯେଉଁମାନେ ଗାଁ ଗଣ୍ଡାରେ ୱାର୍ଡସ୍ତରରୁ ଦଳକୁ ସଂଗଠିତ କରିବାକୁ ଦାୟିତ୍ୱ ନେଇଛନ୍ତି । ୱାର୍ଡ କମିଟି, ପଂଚାୟତ କମିିଟି, ବ୍ଲକ କମିଟି, ନିର୍ବାଚନ ମଣ୍ଡଳୀ କମିଟି ଭାବରେ ୪ଟି ଟିମ୍ ତିଆରି କରି ୩୦୦ ନେତାଙ୍କୁ ଗଡ ଜଗିବାକୁ ଦାୟିତ୍ୱ ଦିଆଯାଇଛି । ବିକାଶର ଧାରାକୁ ଆଗେଇ ନେବାକୁ ଅପିଲ କରି ଏମାନେ ଭୋଟ ବଢ଼ାଇବେ । ସେହିପରି ଦଳର ୩୦ ହେଭିୱେଟ ନେତାଙ୍କୁ ପ୍ରଚାର ମଇଦାନକୁ ଷ୍ଟାର ପ୍ରଚାରକ ଭାବେ ଆଣି ବିଜେପି ପ୍ରଚାର କରିବ ।

ବୁଧବାର ଠାରୁ ପ୍ରଚାର ଜୋରସୋର ହେବ । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ତେବେ ଚାଷୀ ଓ ଚାଷ, ଜଳସେଚନ, ହସ୍ତଶିଳ୍ପୀଙ୍କୁ ଅଣଦେଖା, ଆବାସ, ପାଇଖାନା ଦୁର୍ନୀତି ଆଦି ପୁଳା ପୁଳା ପ୍ରସଙ୍ଗକୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଇବ ବିଜେପି । ଯୁବଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସ୍ଥାନୀୟ ଅଂଚଳରେ ନିଯୁକ୍ତି ପ୍ରସଙ୍ଗକୁ ଗଣ୍ଠି କରିଛି ଦଳ । କଳେବଳେ କୌଶଳେ ବିଜେପି ପିପିଲି ଆସନ ହାତେଇବା ମୁଡରେ ଥିବା ବେଳେ ଗତ ୬ମାସ କାଳ ଜନସମ୍ପର୍କ ଯୋଡିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଅନ୍ୟପଟେ କଂଗ୍ରେସ ଶେଷ ମୁହୂର୍ତରେ ଅଜିତ ମଙ୍ଗରାଜଙ୍କ ଉପରେ ଭରସା କରିଥିବା ବେଳେ ଭିତରେ ଭିତରେ କୁହୁଳିଛି ଅସନ୍ତୋଷ ।

ଅମାନତ ହରାଇଥିବା ପ୍ରାର୍ଥୀଙ୍କୁ ରିପିଟ କରି ଦଳ କି ବାର୍ତା ଦେବାକୁ ଚାହିଁଛି ବୋଲି କର୍ମୀ ପ୍ରଶ୍ନ କରୁଥିବା ବେଳେ ରେସରେ ଥିବା ନିଶୀକାନ୍ତ, ପୂର୍ଣ୍ଣଚନ୍ଦ୍ର ଓ ନିରୁପମାଙ୍କ ମୋର୍ଚ୍ଚା ମଙ୍ଗରାଜଙ୍କୁ ସମର୍ଥନ କରିବେ କି ନାହିଁ ତାହା ଏବେ ସନେ୍ଦହଘେରରେ । ଯଦିଓ ଆଜି ଅଜିତଙ୍କ ନାମାଙ୍କନରେ ନିଶୀକାନ୍ତଙ୍କୁ ଖୋଲାଖୋଲି ଦେଖିବାକୁ ମିଳିଥିଲା କିନ୍ତୁ ଭୋଟରେ କଣ ହେଉଛି ତାହା ଦେଖିବାର କଥା । ରାଜନୀତି ସମୀକ୍ଷକଙ୍କ ମତରେ ପିପିଲିରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବାରୁ ଓ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପାଇଁ ହେଉଥିବାରୁ ଏହା ଗୁରୁତ୍ୱ ବହନ କରୁଛି । ତା ସାଙ୍ଗକୁ ରାଜଧାନୀର ପାଖ ହୋଇଥିବାରୁ ନେତାଙ୍କ ଯିବାଆସିବା ରାସ୍ତା । ଉପକୂଳ ନିର୍ବାଚନମଣ୍ଡଳୀ ହୋଇଥିବାରୁ ଏଠାରେ ସାକ୍ଷର ଭୋଟରଙ୍କ ସଂଖ୍ୟା ଅଧିକ । ତେଣୁ ଭୋଟର ଭାବିଚିନ୍ତି ଭୋଟ ଦେବେ ।