Odia News Portal

ଗାଁ ସାଥୀଙ୍କୁ ନିର୍ମମ ହତ୍ୟା: ଶାଶୂ-ଜ୍ୱାଇଁ ଗିରଫ

ସୁନ୍ଦରଗଡ଼: ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାସ | ୨ ଜଣଙ୍କୁ ଗିରଫ କଲା ପୋଲିସ । ଏହି ଘଟଣାରେ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଜଣେ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଏନେଇ ସୂଚନା ପ୍ରଦାନ କରିଛନ୍ତି ।ସୁନ୍ଦରଗଡ଼ର ଗାଁ ସାଥୀ ରମେଶ ସିଂଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଯାହାପରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା ।

ଗତ ଗୁରୁବାର ରାତିରେ ଗାଁର ଏକ ପୋଖରୀରୁ ଗାଁ ସାଥୀ ରମେଶଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା । ଯାହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ବୁଧବାର ଠାରୁ ରମେଶ ନିଖୋଜ ହୋଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ବିଭିନ୍ନ ସ୍ଥାନରେ ଚଢାଉ ପରେ ବି ରମେଶଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ପୋଖରୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ କରାଯାଇଥିଲା ।

ସୂଚନାନୁଯାୟୀ, ମୃତ ଗାଁ ସାଥୀ ରମେଶ ସିଂଙ୍କର ଗିରଫ ମହିଳାଙ୍କ ସହିତ ଅନୈତିକ ସଂପର୍କ ଥିଲା ବୋଲି ଜଣାପଡ଼ିଛି। ସେହି ମହିଳାଙ୍କ ଘର ମଧ୍ୟ ଭବାନୀପୁର ଗାଁରେ । ଦୀର୍ଘ ବର୍ଷ ଧରି ସେମାନଙ୍କ ମଧ୍ୟରେ ସଂପର୍କ ଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ମହିଳାଙ୍କ ଜ୍ୱାଇଁ ଅସନ୍ତୋଷ ପ୍ରକାଶ କରିଥିଲେ। ସେଥିପାଇଁ ପରିବାରରେ ସର୍ବଦା ଅଶାନ୍ତି ଲାଗି ରହୁଥିଲା। ଏହି ଅନୈତିକ ସଂପର୍କକୁ ଶେଷ କରିବାକୁ ଉକ୍ତ ମହିଳା ଓ ତାଙ୍କ ଜ୍ୱାଇଁ ମିଶି ଯୋଜନା କରିଥିଲେ।

ଯୋଜନା ଅନୁଯାୟୀ, ଘଟଣା ଦିନ ଅଭିଯୁକ୍ତ ଜ୍ୱାଇଁ ରମେଶଙ୍କୁ ଭୋଜି କରିବା ପାଇଁ ଡାକିଥିଲେ। ଉକ୍ତ ମହିଳାଙ୍କ ଘରେ ହିଁ ଭୋଜିର ଆୟୋଜନ କରାଯାଇଥିଲା। ସେଠାରେ ରମେଶ ବସି ମଦ ପିଉଥିବା ବେଳେ ମହିଳା ଜଣଙ୍କ ତାଙ୍କ ବେକ କାଟି ଦେଇଥିଲେ। ରମେଶଙ୍କର ସେଠାରେ ମୃତ୍ୟୁ ଘଟିଥିବା ବେଳେ ମୃତଦେହକୁ କିପରି ଫୋପାଡ଼ିବେ, ସେ ନେଇ ଯୋଜନା କରିଥିଲେ ଶାଶୂ-ଜ୍ୱାଇଁ। ଏହା ପରେ ସେମାନେ ରମେଶଙ୍କ ଶରୀରକୁ ୬ ଖଣ୍ଡ କରି ଗୋଟିଏ ହାତ ଓ ଗୋଟିଏ ଗୋଡ଼କୁ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଥିଲେ। ବାକି ସବୁ ଅଂଶକୁ ପୋଖରୀରେ ଫିଙ୍ଗି ଦେଇଥିଲେ।

ଅନ୍ୟପକ୍ଷେ, ପୋଲିସ ଗିରଫ କରିଥିବା ୨ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି । ଅଭିଯୁକ୍ତ ଶାଶୁ ଓ ଜ୍ୱାଇଁଙ୍କୁ ପଚରାଉଚରା କରି ତାଙ୍କ ନିକଟରୁ ସତ ଓଗାଳୁଛି ପୋଲିସ । ଘଟଣାରେ ଆଗକୁ କିଛି ନୂଆ ତଥ୍ୟ ବାହାରିବାର ଆଶଙ୍କା ରହିଛି ।