Odia News Portal

ଦ୍ରୌପଦୀ ମୁର୍ମୁଙ୍କ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଏହି ଆଦିବାସୀ ଓଡିଆ ନେତା

ଦ୍ରୌପଦୀ ମୁର୍ମୁଙ୍କ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଆଦିବାସୀ ନେତା । ସେପଟେ ବିଜେପି ନିଜକୁ ଆଦିବାସୀଙ୍କ ଲାଗି ସବୁଠୁ ଭରସା ଯୋଗ୍ୟ ବୋଲି ଦାବି କରିଆସୁଛି। ଏଣୁ ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ଆଦିବାସୀଙ୍କୁ ତୁଷ୍ଟ କରିବାକୁ ରାଜନୈତିକ ଗୋଟି ଚଳାଇଛି। ସ୍ୱାଧୀନ ଭାରତ ଇତିହାସରେ ଏପର୍ୟ୍ୟନ୍ତ କୌଣସି ଆଦିବାସୀ ରାଷ୍ଟ୍ରପତି ହୋଇ ନାହାନ୍ତି। ଏଥିରେ ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ଦେଶର ଦ୍ୱିତୀୟ ମହିଳା ତଥା ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ। ଦେଶରେ ଅନୁସୂଚିତ ଜନଜାତି ଙ୍କ ଜନସଂଖ୍ୟା ମୋଟ ଜନସଂଖ୍ୟାର ୮.୯ ପ୍ରତିଶତ। ଏଣୁ କେତେକ ରାଜ୍ୟରେ ଏହି ସମାଜ ରାଜନୈତିକ ଖେଳ ବନେଇବା ଓ ବିଗାଡିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି। ଏଣୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ଏନଡିଏ ଦେଶର ଆଦିବାସୀଙ୍କୁ ବଡ଼ ବାର୍ତ୍ତା ଦେଇଛି। ଦ୍ରୌପଦୀ ମୁର୍ମୁ ଓଡିଶାର ଆଦିବାସୀ ନେତ୍ରୀ। ଅତୀତରେ ସେ ଝାଡଖଣ୍ଡର ରାଜ୍ୟପାଳ ମଧ୍ୟ ଥିଲେ। ମୁର୍ମୁ ପ୍ରଥମ ଓଡିଆ ଆଦିବାସୀ ନେତ୍ରୀ ଯିଏ ଗଭର୍ଣ୍ଣର ହୋଇପାରିଥିଲେ। ଦେଶର ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଛତିଶଗଡ ଓ ଝାଡଖଣ୍ଡ ଆଦିବାସୀ ବହୁଳ ରାଜ୍ୟ ।

ଏଥିରେ ଗୁଜରାଟ ବିଧାନସଭା ଲାଗି ଚଳିତ ବର୍ଷ ନିର୍ବାଚନ ହେବାକୁ ଯାଉଥିବା ବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ଆଗାମୀ ବର୍ଷ ନିର୍ବାଚନ ହେବ। ଏଥିରେ ଆଦିବାସୀ ନେତ୍ରୀଙ୍କୁ ଏନଡିଏ ପ୍ରାର୍ଥୀ କରିଥିବାରୁ ବିଧାନସଭା ନିର୍ବାଚନମାନଙ୍କରେ ଏହାର ଲାଭ ମିଳିବ ବୋଲି ଆଶା କରାଯାଉଛି। ତେବେ ଦେଶର ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ପ୍ରାର୍ଥୀ ନୁହନ୍ତି। ତାଙ୍କର ଅନେକ ପୂର୍ବରୁ ଆଦିବାସୀ ନେତା ପି.ଏ.ସାଙ୍ଗମାଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀ କରିଥିଲା। ସାଙ୍ଗମା ଗାରୋ ଜନଜାତୀ ସମୂଦାୟର ଥିଲେ ଓ ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ଦେଶର ପ୍ରଥମ ଆଦିବାସୀ ପ୍ରାର୍ଥୀ ଭାବେ ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ୟୁପିଏ ପ୍ରାର୍ଥୀ ଭାବେ ପ୍ରଣବ ମୁଖାର୍ଜୀଙ୍କୁ ୭,୧୩,୭୬୩ ଅର୍ଥାତ ୬୯ ପ୍ରତିଶତ ଭୋଟ ମିଳିଥିବା ବେଳେ ଏନଡିଏ ପ୍ରାର୍ଥୀ ସାଙ୍ଗମାଙ୍କୁ ୩,୧୫,୯୮୭ ଅର୍ଥାତ ୩୦.୭ ପ୍ରତିଶତ ଭୋଟ ମିଳିଥିଲା। ପି.ଏ. ସାଙ୍ଗମାଙ୍କ ଧାରଣା ଥିଲା ଆଦିବାସୀଙ୍କୁ ଦେଶର ଉଚ୍ଚତମ ସ୍ତରୀୟ ପ୍ରତିନିତ୍ୱର ଆବଶ୍ୟକତା ରହିଛି। ସେ ଭାବୁଥିଲେ ଆଦିବାସୀଙ୍କୁ କଣଠେସା କରାଯାଉଛି। ଏଣୁ ଶିକ୍ଷକରୁ ଓକିଲ ଓ ପରେ ରାଜନେତା ହୋଇଥିବା ସାଙ୍ଗମା ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳଙ୍କ ସମର୍ଥନ ଲୋଡିଥିଲେ। ତେବେ ପ୍ରଣବମୁଖାର୍ଜୀଙ୍କଠାରୁ ଭୋଟରେ ପଛେଇ ଯାଇଥିଲେ। ସେ ଆଦିବାସୀ ପରିଚୟରେ ଭୋଟ ଆଶା ରଖିଥିଲେ, ହେଲେ ସଫଳ ହୋଇପାରିନଥିଲେ।