Odia News Portal

ପାଲି ପଲଟାଇ ଜିତିଲା ପଞ୍ଜାବ

ମୁମ୍ବାଇ : ରାଜସ୍ଥାନ ରୟାଲ୍ସ ହାତରେ ଥିଲା ମ୍ୟାଚ । ହେଲେ ପାଲି ପଲଟାଇ ୪ ରନ୍‌ରେ ଜିତିଲା ପଞ୍ଜାବା କିଙ୍ଗସ୍‌। ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ଶତକୀୟ ପାଳି ଗଲା ବେକାର । ୨୦ ଓଭର ଶେଷ ବେଳକୁ ୨୧୭ ରନ୍‌ କରିବାରେ ସକ୍ଷମ ହେଲା ରାଜସ୍ଥାନ ରୟାଲ୍ସ। ଶେଷ ବଲ୍‌ରେ ଆଶା ଥିଲେ ସଞ୍ଜୁ। ଶତକୀୟ ପାଳି ଖେଳିଥିବା ସଞ୍ଜୁ କିନ୍ତୁ ଶେଷ ବଲ୍‌ରେ ୬ ମାରିବା ପରିବେର୍ତ ଆଉଟ ହୋଇଗଲେ ।

ରୋମାଞ୍ଚକର ମ୍ୟାଚରେ ବାଜି ମାରିନେଲା ପଞ୍ଜାବ କିଙ୍ଗସ୍ । ରାଜସ୍ଥାନ ରୟାଲ୍ସ ଟିମକୁ ୪ ରନରେ ପରାସ୍ତ କରିଛି ପଞ୍ଜାବ। ସଞ୍ଜୁ ସାମସନ୍‌ ୧୧୯ ରନର ଧୂଆଁଦାର ଶତକୀୟ ଇନିଂସ୍‌ ଖେଳିଥିବା ସତ୍ତ୍ବେ ପରାଜିତ ହୋଇଛି ରାଜସ୍ଥାନ ରୟାଲ୍ସ। ପଞ୍ଜାବର ଅଶ୍ରଦିପ ସିଂହ ଓ ମହମ୍ମଦ ସାମିଙ୍କ ଶାଣିତ ବୋଲିଂ ପାଇଁ ରୋମାଞ୍ଚକର ମ୍ୟାଚରେ ବାଜି ମାରିଛି ପଞ୍ଜାବ କିଙ୍ଗସ୍।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ କିଙ୍ଗସ ବଡ ସ୍କୋର କରିବାରେ ସକ୍ଷମ ହୋଇଛି । ଅଧିନାୟକ କେ.ଏଲ ରାହୁଲ ଏବଂ ଦୀପକ ହୁଡାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ୬ ଓ୍ବିକେଟ ହରାଇ ୨୨୧ ରନ କରିବାକୁ ସକ୍ଷମ ହୋଇଛି । ପଞ୍ଜାବ ପକ୍ଷରୁ ଅଧିନାୟକ କେ.ଏଲ. ରାହୁଲ ମାତ୍ର ୫୦ ବଲ ଖେଳି ୭ ଚୌକା ଏବଂ ୫ ଛକା ସହାୟତାରେ ୯୧ ରନ କରିଛନ୍ତି । ସେହିଭଳି ମୟଙ୍କ ଅଗ୍ରଓ୍ବାଲ ୧୪ ରନ କରି ଆଉଟ ହୋଇଥିବା ବେଳେ କ୍ରିସ୍‌ ଗେଲ ୨୮ ବଲରେ ୪୦ ରନ କରି ଆଉଟ ହୋଇଛନ୍ତି । ଦୀପକ ହୁଡା ଆରମ୍ଭରୁ ହିଁ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ ଆରମ୍ଭ କରିଥିଲେ । ହୁଡା ମାତ୍ର ୨୮ ବଲ ଖେଳି ୪ ଚୌକା ଏବଂ ୬ ଛକା ସହାୟତାରେ ୬୪ ରନ କରି ଆଉଟ ହୋଇଛନ୍ତି । ନିକୋଲସ ପୋରାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଶାହାରୁଖ ଖାନ ୬ ରନ କରି ଅପରାଜିତ ଅଛନ୍ତି ଏବଂ ରିଚାର୍ଡସନ୍ ଖାତା ଖୋଲିବା ପୂର୍ବରୁ ଆୁଡ ହୋଇଛନ୍ତି ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଚେତନ ସକାରିୟା ୪ ଓଭର ବୋଲିଂ କରି ୩୧ ରନ ଦେଇ ୩ ଓ୍ବିକେଟ ନେଇଛନ୍ତି । ସେହିଭଳି ମୁସ୍ତାଫିଜର ରେହମାନ ୪ ଓଭର୪୫ ରନ, କ୍ରିସ୍‌ ମୋରିସ୍‌ ୪ ଓଭରରେ ୪୧ ରନ ଦେଇ ୨ଟି ଓ୍ବିକେଟ୍, ଶ୍ରେୟସ ​‌ଗୋପାଳ ୩ ଓଭରରେ ୪୦ ରନ, ବେନ୍‌ ଷ୍ଟୋକସ୍‌ ଏକ ଓଭରରେ ୧୨ ରନ, ରାହୁଲ ତେଓ୍ବାତିଆ ୨ ଓଭରରେ ୨୫ ରନ ରିଆନ୍‌ ପରାଗ ଏକ ଓଭରରେ ୭ ରନ ଏକ ଓ୍ବିକେଟ ଏବଂ ଶିବମ ଦୁବେ ଗୋଟିଏ ଓଭର ବୋଲିଂ କରି ୨୦ ରନ ବ୍ୟୟ କରିଛନ୍ତି ।

ସଞ୍ଜୁ ସାମସନ୍‌ଙ୍କ ଶତକୀୟ ଇନିଂସ୍‌ ବଳରେ ରାଜସ୍ଥାନ ଟିମ୍‌ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ମୋଟ ୨୧୭ ରନ୍‌ କରିବାରେ ସଫଳ ହୋଇଥିଲା। ଯାହାଫଲରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ୪ ରନରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗସ୍।