Odia News Portal

ମହାପ୍ରସାଦକୁ ଅନଲାଇନରେ ବିକ୍ରି କଲା ଆମାଜନ, ଥାନାରେ ଏତଲା ଦାୟର

ପୁରୀ() ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦକୁ ଅନଲାଇନରେ ବିକ୍ରି କରିବା ନେଇ ସିଂହଦ୍ୱାର ଥାନାରେ ଏତଲା ଦାୟର ହୋଇଛି । ଏହି ଏତଲା ଦାୟର କରିଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଏହି ଘଟଣାଟି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ଶ୍ରୀ ଖୁଣ୍ଟିଆଙ୍କ ଏତଲାକୁ ଶ୍ରୀମନ୍ଦିର ସେବାୟତ ସଂଘ ମଧ୍ୟ ସମର୍ଥନ କରିଛି । ଶ୍ରୀ ଖୁଣ୍ଟିଆ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଅନଲାଇନରେ ମହାପ୍ରସାଦ ବିକ୍ରି କରିବା ନେଇ କୌଣସି ସଂସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନୁମତି ଦିଆଯାଇନଥିବା ବେଳେ ଆମାଜନ ଭଳି ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଏହି କାର୍ଯ୍ୟ କରିବାକୁ କିପରି ସାହାସ କରିପାରୁଛି, ତାହା ତଦନ୍ତ ସାପେକ୍ଷ । ଏହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ପ୍ରତି ଘୋର ଅପମାନଜନକ କାର୍ଯ୍ୟ ।
ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ରାଜ୍ୟ ସରକାର ଭକ୍ତମାନଙ୍କୁ ଅନଲାଇନ ମାଧ୍ୟମରେ ସହଜରେ ମହାପ୍ରସାଦ ଯୋଗାଇଦେବା ପାଇଁ ଯୋଜନା କରିଥିଲେ । ମାତ୍ର ବିଧିବଦ୍ଧଭାବେ କୌଣସି ସଂସ୍ଥାକୁ ଏନେଇ ଅନୁମତି ଦିଆଯାଇନଥିଲା । କିନ୍ତୁ ବର୍ତ୍ତମାନ ଆମାଜନ ଭଳି କମ୍ପାନୀ ବିନା ଅନୁମତି ଅନଲାଇନରେ ମହାପ୍ରସାଦ ବିକ୍ରି କରିଚାଲିଛି । ଏହା ସମ୍ପୂର୍ଣ୍ଣ ଭାବେ ଏକ ନିନ୍ଦନୀୟ କାର୍ଯ୍ୟ ଅଟେ । ଫଳରେ ଏହା ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ପୋଲିସ ତୁରନ୍ତ ଆମାଜନ ବିରୋଧରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ସେବାୟତମାନେ ଦାବି କରିଛନ୍ତି ।