Odia News Portal

ଜଗା ଦର୍ଶନ କଲେ ପୁରୀ ବାସିନ୍ଦା

ଦୀର୍ଘ ୯ମାସର କଡ଼ା ଧର୍ଯ୍ୟ ପରେ ଆଜି ଶ୍ରୀ ମନ୍ଦିରରେ ଜଗା ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି ପୁରୀ ବାସିନ୍ଦା । ଆଜି ପୁରୀ ସହରର ୭ଟି ୱାର୍ଡବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିଥିବା ବେଳେ ସକାଳ ସାଢ଼େ ୭ଟାରୁ ଧାଡ଼ି ଲଗାଇଥିଲେ ଦର୍ଶନାର୍ଥୀ । ସେମାନଙ୍କୁ ମିଳିଥିବା ଟୋକନ୍ ସହ ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ ଭକ୍ତ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଥିଲେ ଲୋକେ ।

ତେବେ ଆଜି ଠାରୁ ପୁରୀ ସହରବାସୀଙ୍କ ପାଇଁ ଆରମ୍ଭ ହୋଇଥିବା ଦର୍ଶନ ବ୍ୟବସ୍ଥା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ନୂଆବର୍ଷରେ ‌ ଜାନୁଆରୀ ୧ ଓ ୨ ତାରିଖରେ ଭିଡ଼କୁ ନଜରରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଥିବା ବେଳେ ଜାନୁଆରୀ ୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ପୁଣି ଥରେ ସୁଯୋଗ ମିଳିବ। ତେବେ ୩ ତାରିଖରୁ ପୁରୀ ବାହାର ଲୋକମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ତେବେ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଏଥି ସହ ୬୫ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ୧୦ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ସାଥୀରେ ନଆଣିବାକୁ ପରାମର୍ଶ ଦେଇଛି ପୁରୀ ପ୍ରଶାସନ ।