Odia News Portal

ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପଢ଼ିଆରୀଙ୍କୁ ଗୁଳିକରି ହତ୍ୟା ଘଟଣା: ଅଭଯୁକ୍ତକୁ ଚିହ୍ନଟ

ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ପଢ଼ିଆରୀ ହତ୍ୟା ଘଟଣା। ଗୁଳିମାଡ଼ କାଣ୍ଡିରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କଲା ପୋଲିସ ପ୍ରଶାସନ।ଖୁବଶୀଘ୍ର ଅଭିଯୁକ୍ତ ଗିରଫ କରାଯିବ ବୋଲି ପୁରୀ ଏସ୍‌ପି କନଓ୍ୱାର ବିଶାଳ ସିଂହ କହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୪ଟି ଟିମ୍‌ ଗଠନ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା କହିଛନ୍ତି ଏସ୍‌ପି ।ହତ୍ୟା ପଛର ରହସ୍ୟ ଅଭିଯୁକ୍ତ ଗିରଫ ହେବା ପରେ ସ୍ପଷ୍ଟ ହେବ ବୋଲି କହିଛି ପୁଲିସ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ବୁଧବାର ଦିନ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପରେ ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏହିକ୍ରମରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ଏହି ଘଟଣାକୁ ପୋଲିସ ବେଶ୍‌ ଗୁରୁତ୍ୱ ସହ ତଦନ୍ତ କରୁଛି । ଘଟଣା ପଛରେ କଣ ସବୁ କାରଣ ଅଛି । ସେନେଇ ଛାନ୍‌ଭିନ୍ କରୁଛି ପୋଲିସ । ଖାସ୍‌ କରି ବ୍ୟକ୍ତି ଗତ ଶତ୍ରୁତା, ଜମିଜମା ମାମଲା, ଗୁନ ସିଂହାରୀ ହତ୍ୟା କାଣ୍ଡ ଘଟଣା ସହ ଅନ୍ୟ ସମସ୍ତ ଦିଗ ଉପରେ ପୋଲିସ ଅନୁଧ୍ୟାନ କରୁଛି।  

ଉଲ୍ଲେଖ ଯୋଗ୍ୟ ଯେ, ବୁଧବାର ଅପରାହ୍ନରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କୁ ଦିନ ଦିପହରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ସ୍ତବ୍ଧ କରିଦେଇଛି ପୁରୀବାସୀଙ୍କୁ । ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆ ପଢ଼ିଆରୀ( ୪୪)ଙ୍କୁ ଜିରୋ ରେଞ୍ଜ୍‌ରୁ ଗୁଳିମାଡ଼ ହୋଇଥିଲା । ୪ ରାଉଣ୍ଡ ଗୁଳିମାଡ଼ ହୋଇଥିବା ବେଳେ ୩ଟି ବାଜିଥିଲା ।ବୁଧବାର ଟାଉନ୍‌ ଥାନା ଠାରୁ ମାତ୍ର ୧ କିଲୋମିଟର ଏବଂ ଶ୍ରୀମନ୍ଦିରଠାରୁ ପ୍ରାୟ ୬୦୦ ମିଟର ଦୂର ବାରବାଟୀ ଜାଗା ପରିସରରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଜାଗା ପରିସର ହୋଇଛି ରକ୍ତରଞ୍ଜିତ । ଗୁଳିକାଣ୍ଡ ପରେ ଚଉତରାରେ କାଳିଆଙ୍କ ଶରୀର ଲୋଟି ପଡ଼ିଥିଲା ଏବଂ ଚାରିଆଡ଼େ ବୋହି ଯାଇଥିଲା ରକ୍ତ । ଏହି ଦୃଶ୍ୟ ଦେଖଣାହାରୀଙ୍କୁ ଆତଙ୍କିତ କରିଦେଇଥିଲା । ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାରୁ କାଳିଆ ନିର୍ଦ୍ଦୋଷରେ ଖଲାସ ହେବା ପରେ ପ୍ରତିଶୋଧ ପାଇଁ ଏହି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଗୁନ ସିଂହାରୀଙ୍କୁ ପଞ୍ଚୁଆତି ଜାଗା ଘର ନିକଟରେ ୨୦୧୨ ମସିହାରେ ଗୁଳି କରି ହତ୍ୟା କରାଯାଇଥିଲା । ତେଣୁ ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ଏହି ଗୁଳିମାଡ଼ର ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ଜମିବାଡ଼ି ବିବାଦକୁ ନେଇ ଦୁର୍ବୃତ୍ତ ଗୁଳି ଚଳାଇଥିବା ଦିଗ ସମ୍ପର୍କରେ ମଧ୍ୟ ପୁଲିସ ଅନୁସନ୍ଧାନ କରୁଛି ।

ଅଭିଯୋଗ ଅନୁସାରେ, ପ୍ରାଥମିକ ପର୍ଯ୍ୟାୟରେ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ । ଟୁଟୁ, କୁନୁମୁନି, ବାବା ମହାପାତ୍ର ଓ ହରିପଣ୍ଡା ନାମକ ଚାରି ଜଣ ମିଶି କାଳିଆଙ୍କୁ ଗୁଳିକରି ହତ୍ୟା କରିଥିବା ମୃତ କାଳିଆଙ୍କ ଭାଇ ନରସିଂହ ପ୍ରତିହାରୀଙ୍କ ଏତଲା କ୍ରମେ ପୁଲିସ ଏହି ମାମଲା ରୁଜୁ କରିଛି । ବ୍ରହ୍ମପୁରର ଚିକେନ୍‌ ରବି ହତ୍ୟା ମାମଲାରେ ଅଭିଯୁକ୍ତ ଥିଲା ଟୁଟୁ ବୋଲି ପୁଲିସ୍‌ କହିଛି ।