Odia News Portal

ଅଗ୍ନିପଥ ବିବାଦ: ରେଳବାଇ ସମ୍ପତ୍ତି ନଷ୍ଟ ନ କରିବାକୁ ରେଳମନ୍ତ୍ରୀଙ୍କ ଅପିଲ

ଅଧିକାଂଶ ବିକ୍ଷୋଭକାରୀ ଭାରତୀୟ ରେଳବାଇକୁ ଟାର୍ଗେଟ କରୁଛନ୍ତି । ଦୁଇ ଦିନ ମଧ୍ୟରେ ବିକ୍ଷୋଭକାରୀ ଯୁବକମାନେ ଅନେକ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି।

ଅଗ୍ନିପଥ ଯୋଜନା ବିରୋଧରେ ଅନେକ ରାଜ୍ୟରେ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅସନ୍ତୁଷ୍ଟ ଆଶାୟୀ ପ୍ରାର୍ଥୀଙ୍କୁ ହିଂସା ନକରିବାକୁ ଅପିଲ କରିଛନ୍ତି।

ସେ କହିଛନ୍ତି, “ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ରେଳ ହେଉଛି ଆପଣଙ୍କ ତଥା ଦେଶର ସମ୍ପତ୍ତି। ଆପଣ କୌଣସି ପ୍ରକାରେ ଏପରି ହିଂସାତ୍ମକ ଆନ୍ଦୋଳନ କରିବା ଉଚିତ୍ ନୁହେଁ ଏବଂ ରେଳ ସମ୍ପତ୍ତି ଆପଣଙ୍କ ସେବା ପାଇଁ ଅଟେ, ତେଣୁ ଏହାର ଆଦୌ କ୍ଷତି କର ନାହିଁ।”

ଯେଉଁମାନେ ବିହାରରେ ହିଂସା ପ୍ରଦର୍ଶନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ପାଟନା ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର କହିଛନ୍ତି ଯେ ଦେଢ଼ ହଜାର ଯୁବକଙ୍କ ଭିଡ଼ ଦାନାପୁର ରେଳ ଷ୍ଟେସନରେ ପହଞ୍ଚି ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ପ୍ରାୟ ଡଜନେ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି।

ଅନ୍ୟପକ୍ଷରେ ବିକ୍ଷୋଭକାରୀମାନେ ମୋହିଉଦ୍ଦିନ ନଗରରେ ଜାମ୍ମୁ ତାୱି ଏକ୍ସପ୍ରେସ ଏବଂ ବିହାରର ଲାଖାଇସରାଇ ଜଙ୍କସନ ଠାରେ ଅଟକି ରହିଥିବା ଏକ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି।

ଏହାଛଡ଼ା ଶୁକ୍ରବାର ଛାତ୍ରଛାତ୍ରୀମାନେ ଉତ୍ତରପ୍ରଦେଶର ବାଲିଆ ଷ୍ଟେସନରେ ଚଢାଉ କରିଥିଲେ। ବିକ୍ଷୋଭକାରୀମାନେ ଷ୍ଟେସନରେ ପାର୍କିଂ ହୋଇଥିବା ବାଲିଆ-ସିଲଦା ଏକ୍ସପ୍ରେସ ଏବଂ ବାଲିଆ ଲୋକମାନ୍ୟ ଟର୍ମିନାଲ ଏକ୍ସପ୍ରେସରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା ।