Odia News Portal

ଆଇପିଏଲ୍ ଉଦଯାପନୀ ଉତ୍ସବରେ ଏଆର୍ ରହମାନ, ରଣବୀର ସିଂ ମୁଖ୍ୟ ଆକର୍ଷଣ

ତିନି ବର୍ଷ ପରେ ଆଇପିଏଲର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ବିସିସିଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଖ୍ୟାତ ସଙ୍ଗୀତକାର ଏଆର୍ ରହମାନ୍ ଓ ବଲିଉଡ୍ ଅଭିନେତା ରଣବୀର ସିଂ ଆଇପିଏଲ୍ ଉଦଯାପନୀ ଉତ୍ସବର ମୁଖ୍ୟ ଆକର୍ଷଣ ହେବେ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ଗଣମାଧ୍ୟମକୁ ଏହା ସ୍ପଷ୍ଟ କରିଛନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ, ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ସରକାର ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି । ଆଇପିଏଲ୍ ଉଦଯାପନୀ ଉତ୍ସବରେ ଏଥିପାଇଁ ଏକ ସ୍ୱତନ୍ତ୍ର ଶୋ’ରେ ଭାରତୀୟ କ୍ରିକେଟର ଗତ ସାତ ଦଶନ୍ଧିର ଯାତ୍ରା ପ୍ରଦର୍ଶିତ ହେବ ।

ଅହମ୍ମଦାବାଦରେ ଆଇପିଏଲ୍ ଫାଇନାଲ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟର ଦୁଇଟି କ୍ୱାଲିଫାୟର କୋଲକାତାରେ ଖେଳାଯିବ । କୋଲକାତାରେ ଦୁଇ କ୍ୱାଲିଫାୟର ପୂର୍ବରୁ ମଧ୍ୟ ଛୋଟିଆ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଯୋଜନା ରହିଥିବା ଗାଙ୍ଗୁଲି କହିଛନ୍ତି । ଆଇପିଏଲ୍ ଫାଇନାଲ ପାଇଁ ଭାରତର ପୂର୍ବତନ ଅଧିନାୟକ ମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି । ଦୁଇ ବର୍ଷ ପରେ ସମ୍ପୂର୍ଣ୍ଣ ଆଇପିଏଲ୍ ଭାରତରେ ହେଉଥିବାରୁ ବିସିସିଆଇ ଏହାକୁ ସ୍ୱତନ୍ତ୍ର କରିବାକୁ ଚାହୁଁଛି । ଉଦଯାପନୀ ଉତ୍ସବ ପାଇଁ କିଛି ଦିନ ତଳେ ବିସିସିଆଇ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । କିଛି ସଂସ୍ଥାର ବିଡ୍ ଗ୍ରହଣ କରିବା ପରେ ଉଦଯାପନୀ ଉତ୍ସବ ପାଇଁ ଏଆର ରହମାନ ଓ ରଣବୀର ସିଂଙ୍କୁ ମୁଖ୍ୟ ଆକର୍ଷଣ ରୂପେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ବୋର୍ଡ । ଭାରତର ପ୍ରଥମ ବିଶ୍ୱକପ ବିଜୟ ଉପରେ ନିର୍ମିତ ଫିଲ୍ମ ‘୮୩’ରେ ରଣବୀର ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଭୂମିକାରେ ଅଭିନୟ କରିଥିଲେ ।